ଭଦ୍ରକ : ଆଜି ଗୋଟିଏ ଦିନରେ ଭଦ୍ରକ ସହରରେ ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କର ଓ ଜଣେ ଶିଶୁର ମୃତ୍ୟୁ ଘଟିଛି। ଦିନ ୧୧ଟା ବେଳେ ଭଦ୍ରକର ମୋଟେଲଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ରାସ୍ତା ପାର୍ଶ୍ୱରେ ବାଉଦପୁର ଓଗାଳପୁର ଗ୍ରାମର ସନାତନ ଜେନା ଯାଉଥିବା ବେଳେ ଏକ ଟ୍ରକ(ଓଡି୦୨କେ- ୪୮୭୬) ଚଢିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟ୍ରକ କୁକୁଡା ଚିଆଁ ବୋଝେଇ କରି ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ମାଡି ଯାଇଥିଲା। ଦୁର୍ଘଟଣା ଘଟାଇ ଟ୍ରକଟି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଲୋକମାନେ ଟ୍ରକକୁ ଅଟକାଇ ଭଦ୍ରକ ଟାଉନ ପୁଲିସର ଜିମା ଦେଇଥିଲେ।

Advertisment

ଭଦ୍ରକର ମୋଟେଲ ଛକରେ ବାରଂବାର ଦୁର୍ଘଟଣା ଘଟୁଥିବା ବେଳେ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ଏପରିକି ପୁଲିସ ଜାଣିଶୁଣି ନିରବ ରହିବା ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ଶବ ରଖି ରାସ୍ତା ଅବରୋଧ କରିଥିଲେ। ଉତ୍ତ୍ୟକ୍ତ ଲୋକେ ପ୍ରାୟ ଏକ ଘଣ୍ଟାରୁ ଉଦ୍ଧ୍ଵର୍ ସମୟ ରାସ୍ତା ଅପରୋଧ କରିବାରୁ ଗାଡିମଟର ଚଳାଚଳ ବନ୍ଦ ହୋଇଯାଇଥିଲା। ପରେ ପୁଲିସ ଓ ପ୍ରଶାସନର ହସ୍ତକ୍ଷେପ ପରେ ଲୋକେ ରାସ୍ତାରୋକରୁ ଓହରି ଯାଇଥିଲେ। ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ମୋଟେଲ ଛକରେ ଏକ ସ୍ୱତନ୍ତ୍ର ଟ୍ରାଫିକ୍‌ ବ୍ୟବସ୍ଥା କରିବା ପାଇଁ ସ୍ଥନୀୟ ଲୋକମାନେ ଆଜି ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିଲେ।

ସେହିପରି ଆଜି ସଂଧ୍ୟାରେ ଭଦ୍ରକର ଅପର୍ତ୍ତିିବିନ୍ଧା କଲୋନୀରେ ଏକ ଦୁଇମହଲା କୋଠା ଉପରୁ ସରୋଜ ସାହୁଙ୍କ ପୁଅ ଅଂଶୁମାନ ସାହୁ (୧୦)ଖସି ପଡି ମୃତ୍ୟୁ ଘଟିଛି। ଅଂଶୁମାନ ସରସ୍ୱତୀ ଶିଶୁ ମନ୍ଦିରର ଦ୍ଵିତୀୟ ଶ୍ରେଣୀର ଛାତ୍ର। ତାଙ୍କ ମୃତ୍ୟୁରେ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସେ ବାପାମାଆଙ୍କର ଏକମାତ୍ର ସନ୍ତାନ ଥିଲେ। ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ମେଡିକାଲ ପରିସରରେ ଶହ ଶହ ଲୋକେ ରୁଣ୍ଡ ହୋଇଯାଇଥିଲେ।