ଢେଙ୍କାନାଳ/ ଓଡ଼ାପଡ଼ା/ ସିମିନଇ : ୫୫ ନମ୍ବର ଜାତୀୟ ରାଜପଥର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ସିମିନଇର ପଞ୍ଚୁପଟିଠାରେ ରବିବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସେଠାରେ ଥିବା ଏକ ପୋଲ ଉପରୁ ଭାରସାମ୍ୟ ହରାଇ ଏକ ତୀର୍ଥଯାତ୍ରୀ ବସ୍ ତଳକୁ ଖସିପଡ଼ିଥିଲା। ଏହି ଦୁର୍ଘଟଣାରେ ବସ୍ରେ ଥିବା ୪୩ ଜଣ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ଘଟିଛି। ୨୨ଜଣ ଯାତ୍ରୀଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଥିବା ବେଳେ ସାମାନ୍ୟ ଆହତ ହୋଇଥିବା ଅନ୍ୟ ୧୪ ଜଣ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ିଦିଆଯାଇଛି। ମୃତାହତ ତୀର୍ଥଯାତ୍ରୀମାନେ ସମସ୍ତେ କେନ୍ଦ୍ରାପଡ଼ା ଜିଲ୍ଲା ଇଛାପୁର ଗ୍ରାମର ବୋଲି ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଇଛାପୁର ଗ୍ରାମର ୪୩ ତୀର୍ଥଯାତ୍ରୀ ଗତ ଶୁକ୍ରବାର ଦିନ ନୀଳମାଧବ ନାମକ ଏକ ବସ୍ରେ ପଶ୍ଚିମ ଓଡ଼ିଶାର ନୃସିଂହନାଥ, ହରିଶଙ୍କର, ହୀରାକୁଦ ଆଦି ପର୍ଯ୍ୟଟନସ୍ଥଳକୁ ବୁଲି ଯାଇଥିଲେ। ରବିବାର ସେମାନେ ଉକ୍ତ ବସ୍ରେ ସମ୍ବଲପୁରରୁ କେନ୍ଦ୍ରାପଡ଼ା ଫେରୁଥିଲେ। ୫୫ ନମ୍ବର ଜାତୀୟ ରାଜପଥରେ ବସ୍ଟି ଫେରୁଥିଲାବେଳେ ରବିବାର ରାତି ୩ଟାରୁ ସାଢ଼େ ୩ଟା ମଧ୍ୟରେ ପଞ୍ଚୁପଟିଠାରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ସମସ୍ତ ଯାତ୍ରୀ ସେହି ସମୟରେ ଶୋଇଥିଲେ। ଖବର ପାଇ ସ୍ଥାନୀୟ ଅଞ୍ଚଳବାସୀ, ସଦର ପୁଲିସ୍ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେମାନଙ୍କ ମଧ୍ୟରୁ ଇଛାପୁର ଗ୍ରାମର ମହିଳା ବିଜୟଲକ୍ଷ୍ମୀ ସାହୁ ଓ ରେଣୁବାଳା ଜେନାଙ୍କୁ ମୃତ ଘୋଷଣା କରାଯାଇଥିଲା। ୪ ଆହତ ଯାତ୍ରୀ ସେଠାରେ ଚିକିତ୍ସିତ ହେଉଥିବାବେଳେ ୨୨ ଜଣ ଯାତ୍ରୀଙ୍କ ଅବସ୍ଥା ଉଦ୍ବେଗଜନକ ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସାମାନ୍ୟ ଆହତ ହୋଇଥିବା ୧୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି । ଦୁର୍ଘଟଣା ଯୋଗୁଁ ଜାତୀୟ ରାଜପଥରେ ପ୍ରାୟ ୪ ଘଣ୍ଟା ଧରି ଗାଡ଼ି ଚଳାଚଳ ବ୍ୟାହତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/bus-accident.jpg)