ବୈପାରିଗୁଡ଼ା: ଏକ ଘଟଣା କ୍ରମରେ ଗୁମ୍ଫା ଭିତରେ ଆଶ୍ରୟ ନେଇଥିବା ବେଳେ ମାଟି ଅତଡ଼ା ଖସି ୨ ଜଣକର ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଦୁଇ ଜଣ ହେଲେ କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦୀକୁଣ୍ଡ ଗ୍ରାମର ଜୟଦେବ ଧାରୁଆଙ୍କ ପୁଅ ସେଲୁମ ଧାରୁଆ (୫୦) ଏବଂ ସମାରୁ ଧାରୁଆଙ୍କ ପୁଅ ତ୍ରିଲୋଚନ ଧାରୁଆ(୪୫) ।
ଘଟଣା ଅନୁଯାୟୀ, ସେଲୁମ ଏବଂ ତ୍ରିଲୋଚନ ଅଧିକାଂଶ ସମୟରେ ନିଜ ଗ୍ରାମ ହଳଦୀକୁଣ୍ଡରୁ ବାହାରି ଗୁପ୍ତେଶ୍ୱର ନିକଟ ସାବେରୀ ନଦୀ କୂଳେ କୂଳେ ବୁଲି ଜଂଗଲ ଜାତ ଦ୍ରବ୍ୟ ସହ ମାଛ ଧରିଥାନ୍ତି। ଜଙ୍ଗଲରୁ ଝୁଣା, ମହୁ ଭଳି ଜଂଗଲ ଜାତ ଦ୍ରବ୍ୟକୁ ସାପ୍ତାହିକ ହାଟରେ ବିକ୍ରି କରିଥାନ୍ତି। ଯେବେ ବି ଅନ୍ଧାର ହେଇଯାଏ, ମାଳିପଦର ଗ୍ରାମକୁ ଲାଗି ରହିଥିବା ପାହାଡ଼ର ଗୁମ୍ଫାରେ ରାତି କଟେଇଥାନ୍ତି। ଗତ ମଙ୍ଗଳବାର ଦିନ ଦୁହେଁ ହଳଦୀକୁଣ୍ଡରୁ ବାହାରି ଜଂଗଲ ଭିତରେ ଝୁଣା, ବାଉଁଶ କରଡ଼ି ଇତ୍ୟାଦି ସଂଗ୍ରହ କରିଥିଲେ। ତେବେ ଭୀଷଣ ବର୍ଷା ହେବା ଫଳରେ ନିଜ ଗ୍ରାମକୁ ଫେରି ନପାରି ସବୁଥର ଭଳି ମାଳିପଦର ଗ୍ରାମକୁ ଲାଗିରହିଥିବା ପାହାଡ଼ର ଗୁମ୍ଫା ଭିତରେ ଆଶ୍ରୟ ନେଇଥିଲେ। ରାତିସାରା ବର୍ଷା ଲାଗିରହିଥିବାରୁ ଗୁମ୍ଫା ଭିତରେ ଦୁହେଁ ଶୋଇ ପଡ଼ିଥିଲେ। ସେମାନେ ଶୋଇଥିବା ଅବସ୍ଥାରେ ଗୁମ୍ଫାରୁ ମାଟି ଅତଡ଼ା ଖସି ସେମାନଙ୍କୁ ଚାପି ଦେଇଥିଲା। ବୁଧବାର ଦିନ ସକାଳୁ ମାଳିପଦର ଗ୍ରାମର କିଛି ଲୋକ ଜଂଗଲ ଭିତରକୁ ଯାଇଥିବା ବେଳେ ସେହି ଗୁମ୍ଫା ନିକଟରେ ପହଞ୍ଚି ମାଟି ଅତଡ଼ା ଖସି ପଡ଼ିଥିବା ଦେଖିବାକୁ ପାଇଥିଲେ। ବାହାରକୁ କେବଳ ଚାରୋଟି ପାଦ ଦେଖା ଯାଉଥିବାରୁ କେହି ମାଟି ତଳେ ଚାପି ହୋଇଯାଇଥିବା ସନ୍ଦେହ କରିବା ସହ ନିଜ ଗ୍ରାମ ମାଳିପଦରର କେହି ହୋଇଥିବା ସଂଦେହ କରିଥିଲେ।
ତେବେ ଗ୍ରାମର କେହି ହୋଇନଥିବା ନିଶ୍ଚିତ ହେବା ପରେ ହଳଦୀକୁଣ୍ଡ ଗ୍ରାମକୁ ଏସଂପର୍କରେ ଖବର ପଠେଇଥିଲେ। ଯେହେତୁ ହଳଦିକୁଣ୍ଡ ଗ୍ରାମର ବହୁ ବ୍ୟକ୍ତି ଏହି ଜଙ୍ଗଲକୁ ଆସିଥାନ୍ତି। ଖବର ପାଇବା ପରେ ହଳଦୀକୁଣ୍ଡ ଗ୍ରାମବାସୀ ଜାଣିପାରିଲେ ଯେ ଗ୍ରାମର ସେଲୁମ ଓ ତ୍ରିଲୋଚନ ମଙ୍ଗଳବାର ଦିନ ଜଙ୍ଗଲକୁ ଯାଇ ଫେରି ନାହାନ୍ତି। ଆଜି ଗ୍ରାମବାସୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଇତି ମଧ୍ୟରେ ହଳଦୀକୁଣ୍ଡ ପଞ୍ଚାୟତର ସମିତି ସଭ୍ୟ ବିଭିଷଣ ହନ୍ତାଳ ରାମଗିରି ଏବଂ ବୈପାରିଗୁଡା ଥାନାକୁ ଏସଂପର୍କରେ ସୂଚନା ଦେଇଥିଲେ। ରାମଗିରି ଥାନା ଏଏସ୍ଆଇ ବଳରାମ ହିକକା ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ମାଟି ଖୋଳି ଗ୍ରାମବାସୀ ଏବଂ ପୋଲିସ ଶବ ଦୁଇଟିକୁ ଉଦ୍ଧାର କରିବା ପରେ ବୈପାରିଗୁଡା ବ୍ୟବଚ୍ଛେଦ ପାଇଁ ଅଣାଯାଇଥିଲା। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/b89e2bdd-873c-4215-aaac-77a3afa8a109.jpg)