ବିଦ୍ୟୁତ୍‌ ଆଘାତରେ ଦୁଇ ଯାଆଙ୍କ ମୃତ୍ୟୁ

ଗାଁ ଅମର୍ଦାରେ ଶୋକାକୁଳ ପରିବେଶ

ରାସଗୋବିନ୍ଦପୁର/ଗାଁଅମର୍ଦା : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଧୀନ ଗାଁଅମର୍ଦା ପଞ୍ଚାୟତ ହମାରପଦା ଗାଁରେ ଏକ ଅଭାବନୀୟ ଘଟଣାକ୍ରମେ ବିଦ୍ୟୁତ୍‌ ଆଘାତରେ ଗୋଟିଏ ପରିବାରର ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି। ଉଭୟ ସଂପର୍କରେ ଦୁଇ ଯାଆ। ହରିଶ୍‌ଚନ୍ଦ୍ର ଜେନାଙ୍କର ଦୁଇ ପୁତ୍ରବଧୂ- ବେବିରାଣୀ ଜେନା (୨୩) ଓ କବିତା ଜେନା (୨୦)।

ଗତକାଲି ମଧ୍ୟରାତ୍ରରେ ପ୍ରବଳ ପବନ ବହିବାରୁ ବିଦ୍ୟୁତ୍‌ ତାର ଛିଣ୍ଡିବା ସହ ଲାଇନ୍‌ ଚାଲିଯାଇଥିଲା। ତାର ଛିଣ୍ଡିପଡ଼ି ତାଙ୍କ ଘର କୋଣ ଟିଣାରେ ଲାଗିଥିଲା। ବିଦ୍ୟୁତ୍‌ ଆସିବା ପରେ ତାର ଲାଗି ଟିଣାଟି ଚାର୍ଜ ହୋଇଯାଇଥିଲା। ଘରଲୋକେ ଏ ବିଷୟରେ କିଛି ଜାଣିପାରିନଥିଲେ। ସାନଯାଆ କବିତା ସେଥିରେ ଲାଗିବାରୁ ବଡ଼ଯା’ ବେବିରାଣୀ ବଞ୍ଚାଇବାକୁ ଦୌଡ଼ିଆସି ଧରିଥିଲେ। ଉଭୟ ଶକ୍ତ ଝଟ୍‌କା ଖାଇ ପଡ଼ିଯାଇଥିଲେ। ପରେ ପଡ଼ୋଶୀ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରିଥିଲେ। ସ୍ଥାନୀୟ ବିଧାୟକ ପ୍ରତିନିଧି ମୀନକେତନ ମହାନ୍ତି ପହଞ୍ଚି ଉଭୟଙ୍କୁ ଡାକ୍ତରଖାନା ନେବାର ବ୍ୟବସ୍ଥା କରିଥିଲେ। ଅମର୍ଦା ଡାକ୍ତରଖାନାରେ ଡାକ୍ତର ନଥିବାରୁ ପୁଣି ବସ୍ତା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

ଏ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବିଶେଷକରି ବେବିରାଣୀଙ୍କର ୪ ବର୍ଷର ଶିଶୁପୁତ୍ର ଓ କବିତାଙ୍କର ଦୁଇବର୍ଷର ଶିଶୁଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କୁ ଶୋକାଭିଭୂତ କରିଛି।

ସମ୍ବନ୍ଧିତ ଖବର