ଓଡ଼ାପଡ଼ା/ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍ ଅଂଚଳରେ ହାତୀଙ୍କ ଦୌରାତ୍ମ୍ୟ ଥମିବାର ନାଁ ଧରୁନି। ଗତ ରାତିରେ ଏହି ବ୍ଲକ୍ର ଗୁଣଦେଇ ଗ୍ରାମରେ ଏକ ହାତୀ ଆକ୍ରମଣରେ ଦୁଇଜଣ ପ୍ରାଣ ହରାଇଛନ୍ତି। ମୃତକ ଦୁଇଜଣ ସମ୍ପର୍କରେ ବଡ଼ବାପା ଓ ପୁତୁରା। ଦୁହେଁ ରାତିରେ ବ୍ରାହ୍ମଣୀ ନଦୀରୁ ମାଛମାରି ଘରକୁ ଫେରୁଥିଲାବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବନ ବିଭାଗର କ୍ରମାଗତ ଅବହେଳାରୁ ଅକାଳରେ ପୁଣି ଦୁଇଜଣଙ୍କ ଜୀବନ ଗଲା ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ଏଥିସହିତ, ତୁରନ୍ତ ଏହାର ପ୍ରତିକାର କରାନଗଲେ ସେମାନେ ଭିନ୍ନ ପନ୍ଥା ଆପଣେଇବାକୁ ବାଧ୍ୟ ହେବେ ବୋଲି ଚେତାଇ ଦେଇଛନ୍ତି।
ସୂଚନା ଅନୁଯାୟୀ, ଗୁଣଦେଇ ଗ୍ରାମର ଫଗୁଆ ଦେହୁରୀ(୫୫) ଏବଂ ତାଙ୍କ ପୁତୁରା ଶିବ ଦେହୁରୀ(୨୨) ଗତକାଲି ରାତିରେ ନିକଟ ବ୍ରାହ୍ମଣୀ ନଦୀକୁ ମାଛ ମାରିବାକୁ ଯାଇଥିଲେ। ମାଛ ମାରି ସେମାନେ ଫେରିବାବେଳେ ଗଇଲୋ ଗ୍ରାମ ଉପକଣ୍ଠ ବ୍ରାହ୍ମଣୀ ନଦୀପଠାସ୍ଥିତ ଜଙ୍ଗଲ ଭିତରେ ଥିବା ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀଟି ଉଭୟଙ୍କୁ ଗୋଡ଼ରେ ଦଳିଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା। ଗ୍ରାମବାସୀଙ୍କଠାରୁ ଖବର ପାଇ ଫଗୁଆଙ୍କ ପରିବାର ଲୋକେ ଘଟଣାସ୍ଥଳକୁ ଯାଇ ମୃତଦେହ ଉଦ୍ଧାର କରିଥିଲେ।
ବନ ବିଭାଗକୁ ଖବର ଦେବା ପରେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ବିଭାଗୀୟ କର୍ମଚାରୀମାନେ ଘଟଣାସ୍ଥଳରେ ନ ପହଞ୍ଚିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ପରେ ଏସିଏଫ୍ ସୁବ୍ରତ କୁମାର ପାତ୍ର, ସଦର ରେଞ୍ଜର ଧରିତ୍ରୀ ମୁର୍ମୁ ଏବଂ ଗଦାଶିଳା ଫରେଷ୍ଟର ରବି ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ପ୍ରାଥମିକ ପର୍ଯ୍ୟାୟରେ ୪୦ ହଜାର ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ସରକାରଙ୍କ ନିୟମ ଅନୁଯାୟୀ ଅବଶିଷ୍ଟ ଟଙ୍କା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଦିଆଯିବ ବୋଲି ଅଞ୍ଚଳବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରେ ଦୁଇଜଣଙ୍କ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।