ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପଞ୍ଚାୟତରେ ହାତୀ ଆକ୍ରମଣରେ ୨ ମୃତ, ଜଣେ ଗୁରୁତର

କ୍ଷତିପୂରଣ ଓ ହାତୀ ଘଉଡ଼ାଇବା ଦାବିରେ ରାସ୍ତାରୋକ

ନିରାକାରପୁର : ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ହଜ ପଞ୍ଚାୟତରେ ଆଜି ହାତୀ ଆକ୍ରମଣରେ ୨ ଜଣ ବୟସ୍କ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାରମ୍ବାର ଅନୁରୋଧ ସତ୍ତ୍ବେ ହାତୀ ଘଉଡ଼ାଇବାରେ ବନବିଭାଗ ପକ୍ଷରୁ ଉଦାସୀନତା ପ୍ରଦର୍ଶନ କରାଯାଉଥିବା ଓ ଏଥିପାଇଁ ୨ ଜଣଙ୍କ ଜୀବନ ଗଲା ବୋଲି ଅଭିଯୋଗ କରି ଗ୍ରାମବାସୀମାନେ ନୂଆ ଜଗନ୍ନାଥ ସଡ଼କର ହଜ ଛକଠାରେ ସକାଳ ୬ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ୫ ଘଣ୍ଟା ଧରି ରାସ୍ତାରୋକ କରିଥିଲେ। ପରେ ହାତୀ ଘଉଡ଼ାଇବା ପାଇଁ ବନବିଭାଗ ପୂର୍ଣ୍ଣ ସହଯୋଗ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଆଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଗ୍ରାମବାସୀଙ୍କ ସୂତ୍ରରୁ ପ୍ରକାଶ ଯେ, ଗତ ବିଳମ୍ବିତ ରାତି ପ୍ରାୟ ଗୋଟାଏ ବେଳେ ହଠାତ୍ ହଜ ଗ୍ରାମର ପାଇକ ସାହିରେ ହାତୀପଲ ପଶି ଗ୍ରାମର ଶ୍ରୀଧର ପାଇକରାୟ, ଦାମ ମାନସିଂହ ଓ ଅକ୍ରୂର ମାନସିଂହଙ୍କ ଖଳାବାଡ଼ିରେ ଥିବା ଧାନ କଳେଇ ଖାଇବା ସହ ବାଡ଼ିରେ ଥିବା ଗଛପତ୍ର ଭଙ୍ଗାରୁଜା କରିଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ଏମାନଙ୍କୁ ଘଉଡ଼ାଇବା ପରେ ହାତୀ ଦୁଇଟି ଗ୍ରାମ ଦାଣ୍ତରେ ଦଉଡ଼ିଥିଲେ। ହାତୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିବା ଗ୍ରାମର ବଂଶିଧର ଛୁଆଳସିଂହ (୮୫) ସେହି ସମୟରେ ଶୌଚ ପାଇଁ ନିଜ ଦାଣ୍ତଦୁଆର ମୁହଁରେ ପହଞ୍ଚିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ଏହି ହାତୀ ଦୁଇଟି ସେଠାରୁ କଲରାଝର ଅଭିମୁଖେ ଯିବାବେଳେ ରାତି ସାଢେ ତିନିଟା ସମୟରେ ବାହାରକୁ ବାହାରିଥିବା ଗ୍ରାମର ସନାତନ ପ୍ରଧାନ (୭୫)ଙ୍କୁ ଆକ୍ରମଣ କରି ମାରି ଦେଇଥିଲେ। ସେହିପରି ଗ୍ରାମର ବ୍ରଜ ସାହୁ (୭୦) ହାତୀ ଆକ୍ରମଣର ଶିକାର ହୋଇଥିଲେ ଓ ତାଙ୍କ ତାଙ୍କ ଡାହାଣ ଗୋଡ଼ଟି ଭାଙ୍ଗି ଯାଇଥିବା ଜଣାପଡିଛି। ସେ ବର୍ତମାନ ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ହାତୀ ଆକ୍ରମଣରେ ବଂଶୀଧର ଓ ସନାତନଙ୍କର ମୃତ୍ୟୁ ଘଟିଥିବା ଖବର ପ୍ରଚାରିତ ହେବାପରେ ପରିବାର ଓ ଗ୍ରାମବାସୀଙ୍କ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ହଜ ଛକଠାରେ ସକାଳ ୬ଟାରୁ ବିକ୍ଷୋଭ କରାଯାଇଥିଲା। ଖବରପାଇ ଘଟଣାସ୍ଥଳରେ ଖୋର୍ଦ୍ଧା ଡିଏଫ୍‌ଓ, ବେଗୁନିଆ ତହସିଲଦାର, ଜଙ୍କିଆ ଥାନା ଅଧିକାରୀ ସତ୍ୟବ୍ରତ ଲେଙ୍କା, ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ପ୍ରମୁଖ ପହଞ୍ଚି ବିକ୍ଷୋଭକାରୀ ଓ ହଜ ସରପଞ୍ଚ ପୁଲକ ଜେନାଙ୍କ ସହ ଆଲୋଚନା କରିଥିଲେ। ଘଟଣାସ୍ଥଳରେ ମୃତକଙ୍କ ପରିବାରକୁ ରେଡ୍‌କ୍ରସ୍‌ ତରଫରୁ ୧୦ହଜାର ଲେଖାଏଁ ଓ ଆହତ ପରିବାରକୁ ୫ହଜାର ଟଙ୍କାର ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା। ସେହିପରି ଆହତ ବ୍ରଜ ସାହୁଙ୍କୁ ମାଗଣା ଚିକିତ୍ସା ସୁବିଧା ଓ ବଂଶୀଧର ଓ ସନାତନଙ୍କ ପରିବାରକୁ ସରକାରଙ୍କ ନିୟମ ଅନୁଯାୟୀ ଆର୍ଥିକ ସହଯୋଗ ଯୋଗାଇ ଦିଆଯିବ। ଏତଦ୍‌ବ୍ୟତୀତ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ଉଦ୍ୟମ କରାଯିବ ବୋଲି ବନବିଭାଗ ପ୍ରତିଶ୍ରୁତି ଦେବା ପରେ ବିକ୍ଷୋଭକାରୀମାନେ ରାସ୍ତାରୁ ହଟିଥିଲେ।

ସମ୍ବନ୍ଧିତ ଖବର