ହାତୀ-ମଣିଷ ଲଢ଼େଇ: ଆଉ ୨ ମୃତ, ଘଉଡ଼ାଇବାକୁ ଯାଇ ଜୀବନ ଗଲା

ଯୁଯୁମୁରା : ସମ୍ବଲପୁର ଜିଲ୍ଲାରେ ହାତୀ ମଣିଷ ଲଢ଼େଇରେ ଆଉ ୨ ଜଣଙ୍କ ଜୀବନ ଯାଇଛି। ପ୍ରଥମ ଘଟଣାରେ ହାତୀ ଘଉଡ଼ାଇବାକୁ ଯାଇ ବିଦ୍ୟୁତ ତାରରେ ଲାଗି ଜଣେ ଚାଷୀ ମୃତ୍ୟୁବରଣ କରିଛନ୍ତି। ଅନ୍ୟ ଏକ ଘଟଣାରେ ହାତୀ ଆକ୍ରମଣରେ ଆହତ ହୋଇ ଚିକିତ୍ସାଧୀନ ଥିବା ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।

ପ୍ରଥମ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅଞ୍ଚଳରେ। ଶୁକ୍ରବାର ବସିଆପଡ଼ା ବର୍ଗେଟିକ୍ରା ଗ୍ରାମକୁ ହାତୀପଲ ଆସିଥିଲେ। ବାରମ୍ବାର ହାତୀ ଆକ୍ରମଣରେ ଧନଜୀବନ କ୍ଷତି ହେଉଥିବାରୁ ଲୋକେ ଗ୍ରାମ ଚାରିପଟରେ ବିଦ୍ୟୁତ୍‌ ତାର ଘେରା ଦେଇଥିଲେ। ତେବେ ଦୀର୍ଘ ସମୟ ଧରି ହାତୀପଲ ଗାଁ ନିକଟରେ ରହିବା ପରେ ସେମାନଙ୍କୁ ଘଉଡ଼ାଇବା ପାଇଁ ଫୋଟକା ଆଣିବାକୁ ବୀରସିଂହଗଡ଼ ସରପଞ୍ଚ ରୀଫା ରାଣୀ ବେହେରାଙ୍କ ଶ୍ବଶୁର ବିରାଟୁ ବର୍ଗେ(୫୨) ବାହାରିଥିଲେ। ତେବେ ଏହି ସମୟରେ ଅସାବଧାନତାବଶତଃ ବିରାଟୁ ନିଜେ ଉକ୍ତ ବିଦ୍ୟୁତ୍‌ ତାରରେ ଛନ୍ଦି ହୋଇଯାଇଥିଲେ। ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଉଦ୍ଧାର କରାଯାଇ ବୁର୍ଲା ବଡ଼ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ନାକଟିଦେଉଳ ବ୍ଲକ ଇନ୍ଦୁପୁର ଗ୍ରାମର ସୁରେଶ ପ୍ରଧାନ(୪୬) ଗତ ୨୨ ତାରିଖ ସକାଳେ ଘର ନିକଟସ୍ଥ ଜଙ୍ଗଲକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଗ୍ରାମବାସୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତାଙ୍କର ମୃତ୍ୟୁ ଘଟିଛି। ଉଭୟ ଘଟଣାରେ ବୁର୍ଲା ପୁଲିସ୍‌ ୨ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

ସମ୍ବନ୍ଧିତ ଖବର