ବ୍ରହ୍ମପୁର/କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଅଧୀନ ମହୁରୀକାଳୁଆ ଛକରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ଅଘଟଣ ଘଟିଛି। ଶ୍ରମିକମାନେ କାମ କରୁଥିବା ବେଳେ ଏକ ବଡ଼ ପଥର ଗଡ଼ଡ଼ିଯିବାରୁ ତା’ତଳେ ଚାପି ହୋଇ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଦୁଇ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ବି.ତୁରୁବୁଡ଼ି ପଞ୍ଚାୟତ ପିଲିଗାଡିହର ଗୋବିନ୍ଦ ମଳିକ(୨୨) ଓ ଜଗା ମଳିକ(୨୩) ବୋଲି ପୁଲିସ କହିଛି। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ଏହି ଘଟଣାରେ ଅନ୍ୟ ଦୁଇଜଣ ଶ୍ରମିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ମହୁରୀକାଳୁଆ ଛକ ରାସ୍ତାରେ ଥିବା ଏକ ଗ୍ରାନାଇଟ୍‌ ଫ୍ୟାକ୍ଟ୍ରିରେ ସଂଧ୍ୟାରେ ଶ୍ରମିକମାନେ କାମ କରୁଥିଲେ। ଏହି ସମୟରେ ହଠାତ୍‌ ଏକ ବଡ଼ ପଥର ଖଣ୍ଡ ଶ୍ରମିକଙ୍କ ଉପରେ ଖସି ପଡ଼ିଥିଲା। ଫଳରେ ଦୁଇଜଣ ଶ୍ରମିକ ତଳେ ଚାପି ହୋଇଯାଇଥିବା ବେଳେ ଅନ୍ୟ ଦୁଇଜଣ ମଧ୍ୟ ଆହତ ହୋଇଥିଲେ। ଆହତମାନେ ହେଲେ ନଳିହାଡ଼ ଗ୍ରାମର କୃଷ୍ଣ ବେହେରା ଓ ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ କଇଠଢ଼ିପ ଗ୍ରାମର ସୁଦର୍ଶନ ବଡ଼ରଇତ ବୋଲି ଜଣାପଡ଼ିଛି। ଘଟଣା ସମ୍ପର୍କରେ ଫ୍ୟାକ୍ଟ୍ରି ମାଲିକ ମୃତକଙ୍କ ପରିବାରବର୍ଗଙ୍କୁ ଖବର କରିଥିଲେ। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ପୁଲିସକୁ ଖବର କରିଥିଲେ। ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ମୃତକଙ୍କ ପରିବାରବର୍ଗଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି।