ବିଦ୍ୟୁତ ଆଘାତରେ ୨ ଜଣଙ୍କ ମୃତ୍ୟୁ, ଶବ ବ୍ୟବଚ୍ଛେଦ ନ କରି ପୋଡ଼ିଦେଲେ ଗ୍ରାମବାସୀ 

ରାୟଗଡ଼ା: ଲୁଗା ଶୁଖାଉ ଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତ୍ୟୁ ପରେ ଗ୍ରାମବାସୀ ଶବ ବ୍ୟବଛେଦ ନ କରି ପୋଡି ଦେଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ସହରର ତୁମ୍ବିଗୁଡା ଗ୍ରାମରେ। ଗ୍ରାମର ତପସ୍ୱିନୀ ମାଣ୍ଡାଙ୍ଗି (୧୩ ) ଓଦା କପଡା ଶୁଖାଉଥିବା ସମୟରେ ହଠାତ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ।

ତପସ୍ୱିନୀ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବା ଦେଖି ତା ଜେଜେ ମା ବାଙ୍ଗାରାମା ମାଣ୍ଡାଙ୍ଗି (୭୦) ଉଦ୍ଧାର କରିବାକୁ ଯାଇଥିଲେ । ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ପରିବାର ଲୋକ ଉଦ୍ଧାର କରି ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଘୋଷଣା ପରେ ପରିବାର ଲୋକ ଓ ଗ୍ରାମବାସୀ ଉଭୟଙ୍କ ଶବକୁ ଘରକୁ ନେଇ ଯାଇଥିଲେ ।

ଡ଼ାକ୍ତରଙ୍କ ରିପୋର୍ଟ ମୁତାବକ ପୁଲିସ ମେଡ଼ିକାଲରେ ପହଁଚି ଶବକୁ ନପାଇ ତୁମ୍ବିଗୁଡ଼ା ଗାଁକୁ ଯାଇଥିଲା । ୩ ଘଣ୍ଟା ଧରି ଗ୍ରାମବାସୀଙ୍କୁ ପୁଲିସ ବୁଝାଶୁଝା କରିବା ପରେ ମଧ୍ୟ ଗ୍ରାମବାସୀ ବୁଝିନଥିଲେ। ଶବ ବ୍ୟବଛେଦ ପାଇଁ ନ ଛାଡ଼ି ଦାହ କରି ଦେଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଭୟରେ ପୁଲିସ କୌଣସି ପଦକ୍ଷେପ ନେଇନଥିବା ଜଣା ପଡ଼ିଛି। ଏହି ଘଟଣା ପରେ ତୁମ୍ବିଗୁଡା ଗ୍ରାମରେ ଶୋକର ଛାୟା ଖେଳି ଯାଇଛି ।

ସମ୍ବନ୍ଧିତ ଖବର