ଗ୍ରୀଷ୍ମରେ ନଦୀ ଗାଧୁଆ ହେଲା କାଳ: ଦୁଇ ସାଙ୍ଗକୁ ଖାଇଲା ନଈ, ଫେରିଲେ ତିନି

ବୌଦ୍ଧ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଟିକେ ଗରମରୁ ଅଶ୍ବସ୍ତି ପାଇବା ପାଇଁ ମହାନଦୀ ଗାଧୁଆ ଗାଁ ଯୁବକମାନଙ୍କୁ ଆକର୍ଷିତ କରୁଛି। ମାତ୍ର ସେମାନଙ୍କ ସାମାନ୍ୟ ଅସାବଧାନତା ଅକାଳରେ ଜୀବନକୁ ମୃତ୍ୟୁ ମୁଁହକୁ ଠେଲି ଦେଉଛି। ଏଭଳି ଏକ ଦୁଃଖଦ ଘଟଣା ରବିବାର ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅରଖପଦର ଗାଁରେ ଘଟିଛି। ମହାନଦୀରେ ଗାଧୋଇବାକୁ ଯାଇଥିବା ୫ଜଣ କମ ବୟସ ସାଙ୍ଗ ମେଳି ମଧ୍ୟରୁ ୨ଜଣ ମହାନଦୀ ଗର୍ଭରେ ପ୍ରାଣ ହରାଇଛନ୍ତି। ମୃତ ଦୁଇ ବାଳକ ମଧ୍ୟରୁ ଜଣେ ସେହି ଗାଁର ନକୁଳ ପ୍ରଧାନଙ୍କ ପୁଅ ଆଶିଷ ପ୍ରଧାନ(୧୭) ଓ ଅନ୍ୟ ବାଳକ ଜଣକ ଶରତ ପ୍ରଧାନଙ୍କ ପୁଅ ତୋଫାନ୍‌ ପ୍ରଧାନ(୧୫) ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଆଜି ଆଶିଷ ଓ ତୋଫାନ୍‌ ସମେତ ଅନ୍ୟ ତିନି ନାବାଳକ ବନ୍ଧୁ ଏକତ୍ର ମହାନଦୀକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ ଅସାବଧାନତା ହେତୁ ଆଶିଷ ଓ ତୋଫାନ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ସାଙ୍ଗ ବୁଡ଼ି ଯାଉଥିବା ଦେଖି ଅନ୍ୟମାନେ ଖୋଜାଖୋଜି କରିଥିଲେ। କିନ୍ତୁ ସେହି ସମୟରେ ନଦୀରେ ସ୍ରୋତ ଅଧିକ ଥିବା ହେତୁ ଦୁର୍ଭାଗ୍ୟବଶତଃ ସେମାନଙ୍କୁ ନପାଇ ଏହି ଅଘଟଣ ସମ୍ପର୍କରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ପରେ ହରଭଙ୍ଗା ପୁଲିସ ଓ ଅଗ୍ନିଶମ ବିଭାଗଙ୍କୁ ଖବର ଦିଆଯାଇଥିଲା।

ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମହାନଦୀରୁ ଦୁଇ ବାଳକଙ୍କୁ ଉଦ୍ଧାର କରିଥିଲେ। ଗ୍ରାମବାସୀ ସେମାନଙ୍କୁ ବୌଦ୍ଧ ଡାକ୍ତରଖାନା ନେଇଥିଲେ ହେଁ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଗୋଟେ ଗାଁର ଦୁଇ ବାଳକଙ୍କ ଏକାଠି ମୃତ୍ୟୁ ଖବର ଗ୍ରାମରେ ଶୋକରଛାୟା ଖେଳି ଦେଇଥିବା ବେଳେ ମୃତ ଦୁଇ ବାଳକଙ୍କ ପରିବାରରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଛି।

ସମ୍ବନ୍ଧିତ ଖବର