ମାଲକାନଗିରିରେ ନିର୍ମାଣାଧୀନ ଏୟାରଷ୍ଟ୍ରିପ୍‌ ପାଚେରୀ ଭୁଶୁଡ଼ିଲା; ମହିଳାଙ୍କ ସମେତ ୨ ଶ୍ରମିକ ମୃତ, ୩ ଗୁରୁତର

କାଳବୈଶାଖୀ ତାଣ୍ଡବ ରଚିଲା: ଡଙ୍ଗାବୁଡ଼ିବାରୁ ୨ ନିଖୋଜ

ମାଲକାନଗିରି: କାଳବୈଶାଖୀର ତାଣ୍ଡବ କାରଣରୁ ମାଲକାନଗିରିରେ ଏୟାରଷ୍ଟ୍ରିପ୍‌ରେ ନିର୍ମାଣାଧୀନ ପାଚେରୀ ଭୁଶୁଡ଼ିଛି। ଏହି ଘଟଣାରେ ଏଠାରେ କାର୍ଯ୍ୟରତ ଜଣେ ମହିଳାଙ୍କ ସମେତ ମୋଟ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ ମନୋଜ ହେମ୍ବ୍ରମ (୧୯) ଓ ତିଳୋତ୍ତମା ବେନିଆ (୪୦)। ସେହିପରି ସତୀଗୁଡ଼ା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ୨ ଜଣ ଲୋକ ନିଖୋଜ ଅଛନ୍ତି।

ସୂଚନା ଅନୁସାରେ ମାଲକାନଗିରିରେ ନୂତନ ଏୟାରଷ୍ଟ୍ରିପ୍‌ ନିର୍ମାଣ ଚାଲିଥିଲା। ସେଠାରେ ବହୁ ଶ୍ରମିକ ନିୟୋଜିତ ଥିଲେ। ଆଜି ଅପରାହ୍‌ଣ ସମୟରେ ପ୍ରବଳ ବେଗରେ ପବନ ବହିଥିଲା। ଏହି କାରଣରୁ ଶ୍ରମିକମାନେ ଆଶ୍ରୟ ନେବା ପାଇଁ ଏୟାରଷ୍ଟ୍ରିପ୍‌ର ପାଚେରୀ ନିକଟକୁ ଆସିଥିଲେ। କିନ୍ତୁ ସେହି ପାଚେରୀ ତାଙ୍କ ପାଇଁ କାଳ ସାଜିଥିଲା। ଶ୍ରମିକମାନଙ୍କର ଉପରେ ପାଚେରୀ ପଡିଯାଇଥିଲା। ପାଖାପାଖି ୧୦୦ ମିଟରରୁ ଅଧିକ ପାଚେରୀ ଭାଙ୍ଗି ଯାଇଥିବା ବ‌େଳେ କିଛି ଲୋକ ବର୍ତ୍ତି ଯାଇଥିଲେ। କିନ୍ତୁ ଏହି ଦୁର୍ଘଟଣାରେ ୫ ଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଏଥିରେ ଏମଭି-୩ ଗ୍ରାମର ମନୋଜ ହେମ୍ରମ, ଲୁବିନ୍ ସୋରେନ୍, ଅମ୍ରିକା କିସକୁ, ଗନ୍ଧିପାଲୀ ଗ୍ରାମର ଅର୍ଜୁନ ବେନିଆ ଓ ତାଙ୍କ ପତ୍ନୀ ତିଳୋତ୍ତୋମା ବେନିଆ ଗୁରୁତର ଆହତ ହୋଇଥିଲେ। ସେଥିରୁ କିଛି ବ୍ୟକ୍ତି ମୁଣ୍ଡ ଫାଟିଥିବା ବେଳେ ଆଉ କାହାର ଅଣ୍ଟା ଓ ଗୋଡ ଭାଙ୍ଗି ଯାଇଛି। ସେମାନଙ୍କୁ ବହୁ କଷ୍ଟରେ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମନୋଜ ଓ ତିଳୋତ୍ତମାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଘୋଷଣା କରିଛନ୍ତି।

ସେହିପରି ସତିଗୁଡା ଜଳଭଣ୍ଡାରର ଡଙ୍ଗା ବୁଡିଯିବାରୁ ୨ ଜଣ ବ୍ୟକ୍ତି ନିଖୋଜ ଅଛନ୍ତି। ନିଖୋଜ ମାନଙ୍କ ମଧ୍ୟରେ ଜଣେ ମହିଳା ଥିବା କୁହାଯାଉଛି। ସତୀଗୁଡ଼ା ଜଳଭଣ୍ଡାରରେ ନିଖୋଜ ୨ ଜଣ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ଙ୍କ ତତ୍ପରତା ଦେଖାଯାଇଛନ୍ତି। ସେ କେରାପୁଟସ୍ଥିତ ଓଡ୍ରାଫ୍‌ ଟିମ୍‌କୁ ମାଲକାନଗିରି ଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସନ୍ଧାନ କାର୍ଯ୍ୟରେ ଓଡ୍ରାଫ୍‌ ଟିମ୍‌କୁ ସହଯୋଗ କରିବା ପାଇଁ ଅଗ୍ନିଶମ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲକାନଗିରି ସହରାଂଚଳ,  ପଦ୍ମଗିରି ଓ ପାଣ୍ଡିପାଣି ଅଂଚଳରେ ବିଦ୍ୟୁତ ସରବରାହ ଠପ୍ ହୋଇଯାଇଛି। କ୍ଷତିଗ୍ରସ୍ତ ବିଦ୍ୟୁତ ଭିତ୍ତିଭୂମି ଶୀଘ୍ର ସଜାଡିବାକୁ ଟାଟା ପାୱାରକୁ ଏସ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର