ଟ୍ୟାଙ୍କଲର୍‌ ଦୁର୍ଘଟଣାରେ ଦୁଇଭାଇଙ୍କ ମୃତ୍ୟୁ

ପାରାଦୀପ : ରଜ ବୁଲିବାକୁ ଆସିଥିବା ଦୁଇ ସମ୍ପର୍କୀୟ ଭାଇଙ୍କର ଆଜି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ମୃତକ ଦୁଇଜଣ ହେଲେ ବାଲିକୁଦା ବ୍ଲକ୍‌ ଅରିଲୋର ଶରତ କୁମାର ସ୍ୱାଇଁଙ୍କ ପୁତ୍ର ସଂଗ୍ରାମ(୨୨) ଓ ତିର୍ତ୍ତୋଲ ବ୍ଲକ୍‌ ନାଇଲୋ ଗାଁର ରାଜକିଶୋର ସ୍ୱାଇଁ(୨୨)। ଦୁଇଭାଇ ଆଜି ‘ଓଡି-୦୨-ଏୟୁ-୨୩୮୭’ ନମ୍ବର ବାଇକ୍‌ରେ ପାରାଦୀପକୁ ରଜ ବୁଲିବା ପାଇଁ ଆସିଥିଲେ। ଅପରାହ୍ନରେ ଘରକୁ ଫେରୁଥିବା ସମୟରେ ପାରାଦୀପ ଗଡ଼ ଏସ୍‌ଆର ତେଲ ଟାଙ୍କି ନିକଟରେ ଏକ ତେଲ ଟ୍ୟାଙ୍କଲର୍‌ ସେମାନଙ୍କୁ ପଛରୁ ଧକ୍କା ଦେଇଥିଲା। ଉଭୟ ବାଇକ୍‌ରୁ ଛିଟିକି ପଡ଼ିଥିଲେ ଓ ସେମାନଙ୍କ ଉପରେ ଟ୍ୟାଙ୍କ୍‌ର ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା। ଦୁର୍ଘଟଣା ଘଟାଇଥିବା ତେଲ ଟ୍ୟାଙ୍କର୍‌ (ଓଆର୍‌-୦୪-ଏଫ୍‌-୫୬୭୭)କୁ ଜବତ କରିଥିବା ବେଳେ ଏହାର ଚାଳକ ଫେରାର ହୋଇଯାଇଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର