ଟାଙ୍ଗୀ (ଖୋର୍ଦ୍ଧା) : ଆଜି ପୂର୍ବାହ୍ନରେ ୧୬ନଂ ଜାତୀୟ ରାଜପଥର ଗୈାରଚନ୍ଦ୍ରପୁର ଛକ ଠାରେ ଏକ ସ୍କର୍ପିଓ ଧକ୍କାରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ବରପଲ୍ଲୀର ଗୌରାଙ୍ଗ ପ୍ରଧାନ, ଗମ୍ଭାରୀଖୋଲର ଗୋକୁଳ ସାହୁ ଏବଂ ସେହି ଗ୍ରାମର ସଞ୍ଜୟ ସାହୁ ଏକ ନମ୍ବରବିହୀନ ବାଇକ୍ରେ ଜାତୀୟ ରାଜପଥରେ ବାଲୁଗାଁ ପଟୁ ଆସୁଥିଲେ। ସେମାନେ ଗୌରଚନ୍ଦ୍ରପୁର ଛକ ଠାରେ ହୋଇଥିବା ବେଳେ ବ୍ରହ୍ମପୁର ଆଡୁ ଦ୍ରୁତଗତିରେ ଆସୁଥିବା ଏକ ସ୍କପିଓ(ଏପି-୩୦କ୍ୟୁ-୮୮୮୮) ସେମାନଙ୍କୁ ପଛପଟୁ ଖୁବ୍ ଜୋରରେ ଧକ୍କା ଦେଇଥିଲା। ଏଥିରେ ତିନି ଜଣ ଯାକ ବାଇକ୍ ଆରୋହୀ ରାସ୍ତା ଉପରେ ଛିଟକି ପଡ଼ିବା ସହ ଘଟଣାସ୍ଥଳରେ ହିଁ ଗୌରାଙ୍ଗଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇଜଣ ଗୁରୁତର ଆହତଙ୍କୁ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଗୋକୁଳ ମଧ୍ୟ ଆଖି ବୁଜିଥିବା ଖବର ମିଳିଛି। ଅପରପକ୍ଷେ, ସଂକଟାପନ୍ନ ସଞ୍ଜୟ ଏବେ ଭୁବନେଶ୍ବର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛନ୍ତି। ଚାନ୍ଦପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି।