ରାଉରକେଲା/ବିଶ୍ରା : ବିଶ୍ରା ଥାନା ଅନ୍ତର୍ଗତ ଭାଲୁଲତା ବଙ୍ଗଲାଢ଼ିପା ଛକରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଗୁରୁତର ଆହତଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ଭର୍ତ୍ତି କରାଯାଇଛି। ମୃତ ବାଇକ ଆରୋହୀ ଜଣକ ହେଲେ ଭାଲୁଲତା ବଙ୍ଗଲାଢ଼ିପାର ରେଳବାଇ କର୍ମଚାରୀ ଗାନ୍ଦରୁ ଓରାମ (୨୮), ଭାଲୁଲତା ମହିପାଣି ଗ୍ରାମର କାହ୍ନୁ ଚରଣ ତନ୍ତି। ଆହତ ଜଣକ ହେଲେ ଭାଲୁଲତା ମହିପାଣି ଗ୍ରାମର ମୃତ୍ୟୁଞ୍ଜୟ ମହାନ୍ତ (୨୪)। ବନ୍ଧମୁଣ୍ଡା ରେଲୱେରେ ଚାକିରୀ କରୁଥିବା ଗାନ୍ଦରୁ ଡ୍ୟୁଟି ସାରି ବାଇକ୍ରେ ଘରକୁ ଫେରୁଥିଲେ। ମହିପାଣିରୁ କାହ୍ନୁ ଚରଣ ଓ ମୃତ୍ୟୁ୍ଞ୍ଜୟ ଏକ ବାଇକ୍ରେ ଭାଲୁଲତା ଶିବ ମନ୍ଦିର ଦର୍ଶନ କରିବାକୁ ଯାଉଥିଲେ। ରାତି ପ୍ରାୟ ସାଢ଼େ ୭ଟାରେ ବଙ୍ଗଲାଢ଼ିପା ଛକରେ ଦୁଇ ବାଇକ୍ ଭିତରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ତିନି ଜଣ ବାଇକ ଛିଟକି ରାସ୍ତା ଉପରେ ପଡିଥିଲେ। ତିନି ଗୁରୁତର ଆହତଙ୍କୁ ସ୍ଥାନୀୟ ଲୋକ ଘଟଣାସ୍ଥଳରୁ ଉଦ୍ଧାର କରି ବିଶ୍ରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଗାନ୍ଦରୁଙ୍କୁ ମୃତ ଘୋଷଣା କରିଥିଲେ। କାହ୍ନୁଚରଣ ଓ ମୃତ୍ୟୁଞ୍ଜୟଙ୍କୁ ଆଇଜିଏଚ୍ରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ କାହ୍ନୁ ଚରଣଙ୍କର ମୃତ୍ୟୁ ହୋଇଥିଲା।
Advertisment
Sambad is now on WhatsApp
Join and get latest news updates delivered to you via WhatsApp