ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

ଗୋପାଳପୁର/କିଶନନଗର : କିଶନନଗର ଥାନା ଅନ୍ତର୍ଗତ କଟକ-ପାରାଦୀପ ରାସ୍ତାର ଶିଉଳି ଛକ ନିକଟରେ ଆଜି ସକାଳ ୯ଟା ସମୟରେ ବାଇକ ଉପରେ ଟ୍ରକ ମାଡିଯିବାରୁ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯୁବକ ଦ୍ବୟ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅନ୍ତର୍ଗତ ଗୁଆଳିପୁର ପଞ୍ଚାୟତ ବର୍ତ୍ତି ଗ୍ରାମର ସୋମନାଥ ଖୁଣ୍ଟିଆଙ୍କ ପୁଅ ନାରାୟଣ (୩୪) ଓ ରାଧାନଗର ଗ୍ରାମର ସୁରେନ୍ଦ୍ରନାଥ ସ୍ୱାଇଁଙ୍କ ପୁଅ ପ୍ରଶାନ୍ତ (୪୨) ବୋଲି ଜଣାପଡ଼ିଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ୯ଟା ସମୟରେ ନାରାୟଣ ଓ ପ୍ରଶାନ୍ତ ବାଇକ୍‌ (ଓଡି୦୨ଏଫ୍‌-୬୭୧୦)ରେ ମାର୍ବଲ କାମ କରିବାକୁ କଟକକୁ ଯାଉଥିଲେ। ଏହି ସମୟରେ ଶିଉଳି କଣ୍ଟୁଆ ପଟୁ ଆସୁଥିବା ଟ୍ରକ୍‌ (ଓଆର ୦୧ଏଲ-୮୯୫୮) ଦ୍ରୁତ ଗତିରେ ଆସି ବାଇକ ଉପରେ ମାଡ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀ ଦ୍ବୟଙ୍କ ମୃତ୍ୟୁ ହୋଇଯାଇଥିଲା। କିଶନନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକ୍‌ ଓ ଗାଡି ଚାଳକକୁ ଅଟକ ରଖିଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ପୂର୍ବାହ୍ନ ସାଢ଼େ ୯ଟା ଠାରୁ ଅପରାହ୍ନ ସାଢ଼େ ଗୋଟାଏ ପର୍ଯ୍ୟନ୍ତ ଦୀର୍ଘ ୪ଘଣ୍ଟା କାଳ ଅବରୋଧ କରିଥିଲେ।

ସମ୍ବନ୍ଧିତ ଖବର