ଟ୍ରେଲର ଧକ୍କାରେ ଦୁଇ ମୃତ

ଚମ୍ପୁଆ : କେନ୍ଦୁଝର ଜିଲ୍ଲା ୫୨୦ ନମ୍ବର ଜାତୀୟ ରାଜପଥର ଚମ୍ପୁଆ ଥାନା ରଘୁଆଳସାହି ଓଭରବ୍ରିଜ୍‌ ନିକଟରେ ଗତକାଲି ରାତିରେ ଟ୍ରେଲର ଧକ୍କାରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଦ୍ବୟ ହେଲେ ଚମ୍ପୁଆ ଥାନା କୋଦଗାଡ଼ିଆ ଗ୍ରାମର ଫକୀର ନାଏକ ଓ ବୁଧୁରାମ ମହାରଣା। ଗୁରୁତର ଜଣଙ୍କ ହେଲେ ବିଶ୍ବଜିତ ନାଏକ। ବିଶ୍ବଜିତଙ୍କୁ ପ୍ରଥମେ ଚମ୍ପୁଆ ଡାକ୍ତରଖାନା ପଠାଯାଇଥିଲା। ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସୂଚନାଯୋଗ୍ୟ, କୋଦଗାଡ଼ିଆ ଗ୍ରାମର ଫକୀର, ବିଶ୍ୱଜିତ୍ ଓ ବୁଧୁରାମ ଗୋଟିଏ ବାଇକ୍‌ରେ ରିମୁଳି ପଟୁ ଆସୁଥିବା ବେଳେ ରଘୁଆଳସାହି ଓଭରବ୍ରିଜ୍‌ ନିକଟରେ ତାଙ୍କୁ ଏକ ଟ୍ରେଲର ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଫକୀର ଓ ବୁଧୁରାମ ମୃତ୍ୟୁ ଘଟିଥିଲା। ରିମୁଳି ଫାଣ୍ଡି ପୁଲିସ ପହଞ୍ଚି ବିଶ୍ୱଜିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା। ଉକ୍ତ ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟି ଲୋକେ ମୃତାହତ ‌ହେଉଛି। ଏ ଦିଗରେ ପଦକ୍ଷେପ ନେବାକୁ ଲୋକେ ଦାବି କରିଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ଆଜି ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲା। ଖବରପାଇ ଚମ୍ପୁଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ଯୁବ ସମାଜସେବୀ ଗିରିଜା ଶଙ୍କର ସାହୁ ପହଞ୍ଚି ମୃତକଙ୍କ ପରିବାରକୁ ଶୁଦ୍ଧିକ୍ରିୟା ପାଇଁ ୫୦ ହଜାର ଟଙ୍କା ଲେଖାଏଁ ଓ ଆହତଙ୍କୁ ଚିକିତ୍ସା ସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେବାପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧିତ ଖବର