ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ, ଜାତୀୟ ରାଜପଥ ଅବରୋଧ

କୋରାପୁଟ: ସଦର ଥାନା ଅନ୍ତର୍ଗତ କୋରାପୁଟ–ଜୟପୁର ରାସ୍ତାର ବଗେଇପଦର ଛକ ନିକଟରେ ବୋଲେରୋ ଗାଡି ସହ ସ୍କୁଟି ଦୁର୍ଘଟଣାରେ ଦୁଇ ଜଣ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି । କୋରାପୁଟ ପଟୁ କୋଲାବ ଅଭିମୁଖେ ଓଡି ୧୦ପି –୧୩୫୮ ନମ୍ବର ବିଶିଷ୍ଟ ସ୍କୁଟିରେ କୋଲାବ ନଗରର ଗୋପୀ ଖୋସଲା ଓ ଆଲୁଆ ଖୋସଲା  ଯାଉଥିବା ବେଳେ ଜୟପୁର ପଟୁ ଆସୁଥିବା ଓଡି ୧୮ଏଫ – ୭୨୨୭ ନମ୍ବର ବିଶିଷ୍ଟ ବୋଲେରୋ ସହ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଆଲୁଆ ଖୋସଲାଙ୍କର ମୃତ ଘଟିଥିବା ବେଳେ ଆମ୍ବୁଲାନସରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଗୋପୀ ଖୋସଲାଙ୍କର ମୃତ ଘଟିଥିବା ଜଣାପଡିଛି ।

ଦୁଘଟଣା ପରେ ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଥିଲା । ପରିବାର ବର୍ଗଙ୍କ ତରଫରୁ ରାସ୍ତାରେ ମୃତ ଦେହ ରଖି ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ଦୀର୍ଘ ୩ ଘଂଟା କାଳ ଉତ୍ୟକ୍ତ ଲୋକମାନେ କ୍ଷତି ପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଉଭୟ ପାଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । କୋରାପୁଟ ପୁଲିସଙ୍କ ସମେତ ଜିଲ୍ଲା ପ୍ରଶାସନ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଜିଲ୍ଲା ରେଡକ୍ରସ ପାଂଠିରୁ ଦୁଇ ମୃତକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ପରେ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହୟତା ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ତରଫରୁ କୁହାଯିବା ପରେ ର।ସ୍ତା ଅବରୋଧ ହଟିଥିଲା । ଆସନ୍ତାକାଲି ଦୁଇ ମୃତକଙ୍କ ଶବ ବ୍ୟବଚ୍ଚେଦ କରାଯିବ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର