କବିସୂର୍ଯ୍ୟନଗର/ବେଗୁନିଆପଡ଼ା: ଗଞ୍ଜାମ ଜିଲ୍ଲାରେ ଗ୍ରୀଷ୍ମର ପ୍ରକୋପ ‌ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତି‌ରେ କବିସୂର୍ଯ୍ୟନଗର ଓ ଖଲ୍ଲିକୋଟ ଥାନା ଇଲାକାରୁ ଦୁଇ ବୃଦ୍ଧବୃଦ୍ଧାଙ୍କ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ସାମ୍ନାକୁ ଆସିଛି। କବିସୂର୍ଯ୍ୟନଗର ଥାନା ବଡ଼ଆଗୁଳ ଗ୍ରାମରେ ବିଲରେ କାମ କରୁଥିବା ବେଳେ ଜଣେ ବୃଦ୍ଧା ଅଂଶୁଘାତରେ ଟଳି ପଡ଼ି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି। ମୃତକଜଣକ ହେଲେ, ବଡ଼ଆଗୁଳ ଗ୍ରାମର ତପସ୍ବିନୀ ନାୟକ (୬୨)। ଗତକାଲି ଅପରାହ୍‌ଣରେ ତପସ୍ବିନୀ ବିଲକୁ ଯାଇ ଘରକୁ ଫେରି ନଥିଲେ। ଆଜି ଖରାବେଳେ ବିଲରେ ତାଙ୍କ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଶରୀର ବି କଳା ପଡ଼ିଯାଇଥିଲା। ପ୍ରବଳ ଖରାରେ କାମ କରୁଥିବା ସମୟରେ ତପସ୍ବିନୀ ଟଳିପଡ଼ିଥିବା ଅନୁମାନ କରାଯାଉଛି। ପୁଲିସ ପହଞ୍ଚି ଶବକୁ ଜବତ କରି ଆସିକା ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତପସ୍ବିନୀଙ୍କ ମୃତ୍ୟୁ ଅଂଶୁଘାତଜନିତ କି ନୁହେଁ, ତାହା ସ୍ପଷ୍ଟ ବୋଲି ସୂଚନା ମିଳିଛି।

Advertisment

ସେହିପରି ଖଲ୍ଲିକୋଟ ଥାନା ଅଧୀନ ମଥୁରା ପଞ୍ଚାୟତ ନୂତନବ୍ରହ୍ମପୁର ଗ୍ରାମର ଦେବରାଜ ନାୟକ (୬୮)ଙ୍କ ମଧ୍ୟ ଅଂଶୁଘାତ‌ରେ ମୃତ୍ୟୁ ଅଭିଯୋଗ ହୋଇଛି। ଦେବରାଜ କୌଣସି କାମରେ କୋଦଳା ଯାଇ ଫେରୁଥିବା ସମୟରେ ପୁସ୍ତପୁରଢେପ ଗ୍ରାମ ନିକଟରେ ହଠାତ୍ ଅସୁସ୍ଥତା ଅନୁଭବ କରି ସାଇକେଲ୍‌ରୁ ପଡ଼ିଯାଇଥିଲେ। ଅଚେତ ଅବସ୍ଥାରେ ତାଙ୍କୁ କୋଦଳା ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ପୁଲିସ ପହଞ୍ଚି ଶବକୁ ଜବତ କରିଛି। କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ଆଦିତ୍ୟ ପ୍ରସାଦ ସାହୁ କହିଛନ୍ତି, ଡାକ୍ତରଖାନାରେ ପହଞ୍ଚିବା ଆଗରୁ ହିଁ ଦେବରାଜଙ୍କ ମୃତ୍ୟୁ ହୋଇସାରିଥିଲା। ଶବ ବ୍ୟବଚ୍ଛେଦ ପରେ ହିଁ, ଏହା ଅଂଶୁଘାତଜନିତ ମୃତ୍ୟୁ କି ନୁହେଁ, ତାହା ସ୍ପଷ୍ଟ ହେବ। ଅନ୍ୟପକ୍ଷରେ ଗ୍ରୀଷ୍ମର ପ୍ରକୋପକୁ ଧ୍ୟାନରେ ରଖି ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଅଂଶୁଘାତ ପାଇଁ ସ୍ବତନ୍ତ୍ର ୱାର୍ଡ଼ ବ୍ୟବସ୍ଥା କରିବାକୁ ଦାବି ହୋଇଛି।