ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଅଘଟଣ : ମୁଖ୍ୟ ପ୍ରଶିକ୍ଷକ, ଛାତ୍ରୀ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିରାଶାଳ ସରକାରୀ ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ଆଜି ସକାଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ମୁଖ୍ୟ ପ୍ରଶିକ୍ଷକଙ୍କ ସମେତ ଦୁଇଜଣ ପ୍ରାଣ ହରାଇଛନ୍ତି। ଜଣେ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ବିମାନଟି ୧୦୦ ଫୁଟ୍‌ ଉପରୁ ହଠାତ୍ ତଳକୁ ଖସି ପଡ଼ିବାରୁ ଏହି ଅଘଟଣ ଘଟିଛି। ମୃତକ ଦୁଇଜଣ ହେଲେ ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ୍ ସଂଜୀବ କୁମାର ଝା ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ୍ ଅନିସ୍‌ ଫାତିମା । ମୁଖ୍ୟ ପ୍ରଶିକ୍ଷକଙ୍କ ଘର ଝାଡ଼ଖଣ୍ଡରେ ହୋଇଥିବାବେଳେ ଛାତ୍ରୀଙ୍କ ଘର ତାମିଲନାଡୁରେ ବୋଲି ଜଣାପଡ଼ିଛି। ଖବର ପାଇ ଢେଙ୍କାନାଳ ଏସ୍‌ପି ଅନୁପମା ଜେମ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନଥିଲେ ହେଁ ଯାନ୍ତ୍ରିକ ତ୍ରୁଟିରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

ସୂଚନାରୁ ପ୍ରକାଶ, ଆଜି ସକାଳ ପ୍ରାୟ ସାଢ଼େ ୬ଟା ବେଳେ ଦୁଇସିଟ୍ ବିଶିଷ୍ଟ ବିମାନ ଟ୍ରେନିଂ ପାଇଁ ଉଡ଼ାଣ ଆରମ୍ଭ କରିଥିଲା। ମୁଖ୍ୟ ପ୍ରଶିକ୍ଷକ କ୍ୟାପଟେନ୍ ସଂଜୀବ ଓ ପ୍ରଶିକ୍ଷଣ ନେଉଥିବା ଛାତ୍ରୀ ପାଇଲଟ୍ ଅନିସ୍‌ଙ୍କୁ ନେଇ ବିମାନଟି ୧୦୦ ଫୁଟ୍‌ ଉପରେ ଉଡୁଥିଲା। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହଠାତ୍‌ କୌଣସି କାରଣରୁ ବିମାନଟି ତଳମୁହାଁ ହୋଇ ତଳେ ଖସିପଡ଼ି ଭାଙ୍ଗିରୁଜି ଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ବିମାନ ପଡ଼ିବା ସମୟରେ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ବିମାନରେ ବସିଥିବା କ୍ୟାପଟେନ୍ ସଂଜୀବ ଓ ଛାତ୍ରୀ ପାଇଲଟ୍ ଅନିସ୍‌ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ବିଭାଗୀୟ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ପ୍ରଥମେ ବିରାଶାଳ ଡାକ୍ତରଖାନା ଓ ପରେ କାମାକ୍ଷାନଗର ଉପଖଣ୍ଡ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ରାଜ୍ୟ ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ କାମାକ୍ଷାନଗର ଉପଜିଲ୍ଲାପାଳ ବିଷ୍ଣୁପ୍ରସାଦ ଆଚାର୍ଯ୍ୟ ଓ ଏସଡିପିଓ ସୁପ୍ରସନ୍ନ ମଲ୍ଲିକ ତୁରନ୍ତ ଡାକ୍ତରଖାନାରେ ପହଞ୍ଚିଥିଲେ। ପରେ ଢେଙ୍କାନାଳ ଏସ୍‌ପି ଶ୍ରୀମତୀ ଜେମ୍ସ ଦୁର୍ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏ ସଂପର୍କରେ ତାଙ୍କୁ ପଚାରିବାରେ ସେ କହିଥିଲେ, ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏହାର ତଦନ୍ତ କରାଗଲେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ। ତେବେ ପୁଲିସ ପକ୍ଷରୁ ଘଟଣା ଉପରେ ନଜର ରଖାଯାଇଛି ବୋଲି ସେ କହିଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୬ ମସିହାରେ ଓଡ଼ିଶା ସରକାରଙ୍କ ପକ୍ଷରୁ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ବିରାଶାଳରେ ୫୦ ଏକର ପରିମିତ ଜମିରେ ରନ୍‌ୱେ ନିର୍ମିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଚେରି ଓ ପରେ ରନ୍‌ୱେ ନିର୍ମାଣ କରାଯାଇ ୨୦୧୮ ମସିହା ମେ ୧୪ ତାରିଖରେ ଏହାର ଉଦ୍‌ଘାଟନ କରାଯାଇଥିଲା। ୨୦୧୯ ମସିହା ଡିସେମ୍ବରରେ ଆନୁଷ୍ଠାନିକ ଭାବେ ମାତ୍ର ୧୦ ତାଲିମପ୍ରାପ୍ତ ପାଇଲଟଙ୍କୁ ନେଇ ବିମାନ ଉଡାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ୩ଟି ବିମାନକୁ ନେଇ ଉଡ଼ାଣ କାର୍ଯ୍ୟ ଜ।ରି ରହିଥିବାବେଳେ ଭାରତର ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀମାନେ ଏଠାରୁ ତାଲିମ ନେଉଛନ୍ତି।

ସମ୍ବନ୍ଧିତ ଖବର