ତେଲକୋଇ : କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି ଘାଟିର ନିପୋ ଗାଁ ନିକଟରେ ରାସ୍ତାକଡ଼ରେ କେନ୍ଦୁ କିଣିବା ବେଳେ ଟ୍ରକ୍ ମାଡ଼ିଯିବାରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ କେନ୍ଦୁ ବିକ୍ରି କରୁଥିବା ସ୍ଥାନୀୟ ନିପୋ ଗ୍ରାମର ମହିଳା ନିଆଳି ମନ୍ତ୍ରୀ (୬୦) ଏବଂ ବରଗଡ଼ ଜିଲ୍ଲାର ସୁଦର୍ଶନ ଛତ୍ରିଆ (୩୫)। ଆହତମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଂକଟାପନ୍ନ ରହିଛି।
ପ୍ରାପ୍ତ ସୂଚନା ଅନୁସାରେ, କାଞ୍ଜିପାଣି ଘାଟିର ନିପୋ ଗ୍ରାମ ନିକଟରେ ସ୍ଥାନୀୟ ଅଞ୍ଚଳର କିଛି ମହିଳା କେନ୍ଦୁ ବିକ୍ରି କରୁଥିଲେ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରୁ ଧାନ ଅମଳ ସାରି ଏକ ଟ୍ରାକ୍ଟର (ଓଡି-୩୧-ଏ-୬୮୦୧)ରେ ହାର୍ଭେଷ୍ଟର ନେଇ ଫେରୁଥିବା ୫ଜଣ ଶ୍ରମିକ କେନ୍ଦୁ କିଣିବାକୁ ସେଠାରେ ଅଟକି ଥିଲେ। ଶ୍ରମିକମାନେ ରାସ୍ତାକଡ଼ରେ ଟ୍ରାକ୍ଟର ରଖି କେନ୍ଦୁ କିଣୁଥିବା ବେଳେ ଏକ ଲୁହାପଥର ବୋଝେଇ ଟ୍ରକ୍ (ଓଡି-୦୯-ପି-୩୫୮୯) ଦ୍ରୁତଗତିରେ ଆସି ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଟ୍ରାକ୍ଟରଟି ଗଡ଼ିଯାଇ କେନ୍ଦୁ ବିକ୍ରି କରୁଥିବା ମହିଳା ଏବଂ କିଣୁଥିବା ଶ୍ରମିକଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ନିଆଳି ଏବଂ ସୁଦର୍ଶନଙ୍କ ମୃତ୍ୟୁ ଘଟିଥିଲା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ କାଞ୍ଜିପାଣି ପୁଲିସ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲା। ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।