ଟ୍ରକ ଧକ୍କାରେ ବଡ଼ବାପା ଓ ଝିଆରୀ ମୃତ

ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ଟ୍ରକ, ଅଢ଼େଇ ଘଣ୍ଟା ରାସ୍ତା ରୋକ୍‌

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଜମରା ଗ୍ରାମର ଗଜେନ୍ଦ୍ର ପ୍ରଧାନ (୫୫) ଆଜି ଆଧାର କାର୍ଡରେ ଫଟୋ ସଂଯୋଗ ପାଇଁ ସାଇକଲରେ ନିଜର ଦୁଇ ଝିଆରୀଙ୍କୁ ବସାଇ ଯାଇଥିଲେ ଅସୁରେଶ୍ୱରସ୍ଥିତ ଅଧାର କେନ୍ଦ୍ରକୁ। କାମ ସାରି ଘରକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୫ଟା ୨୦ରେ କଟିକଟା-ଜୟପୁର ରାସ୍ତାର ଅସୁରେଶ୍ୱର କେନ୍ଦ୍ରାପଡା କେନାଲ ବନ୍ଧ ନିକଟରେ ସାଇକଲ ଉପରକୁ ମାଡିଗଲା ବାଲି ବୋଝେଇ ଟ୍ରକ । ଘଟଣାସ୍ଥଳରେ ବଡବାପା ଗଜେନ୍ଦ୍ର ଓ ସାନଝିଆରୀ ବର୍ଷା(୮)ଙ୍କର ମୃତ୍ୟୁ ଘଟିିଲା।

ଖବର ପାଇ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ବାଲି ବୋଝେଇ ଟ୍ରକକୁ ଜାଳିଦେବା ସହ କ୍ଷତିପୂରଣ ଦାବିରେ ଅଢ଼େଇ ଘଣ୍ଟା ପାଇଁ ରାସ୍ତା ଅବରୋଧ କରିଥିଲେ। ତେବେ ପୁଲିସ୍‌ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହିତ ପ୍ରଶାସନ ପକ୍ଷରୁ ୧୦ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକ ହଟିଥିଲା।

ପ୍ରକାଶ ଯେ ଜମରା ଗ୍ରାମର ଗଜେନ୍ଦ୍ର ପ୍ରଧାନ ଆଧାର କାର୍ଡ଼ାରେ ଫଟୋ ସଂଯୋଗୀକରଣ ପାଇଁ ସାନଭାଇ ଭଗବାନ ପ୍ରଧାନଙ୍କ ଦୁଇକନ୍ୟା ସିପ୍ରା ପ୍ରଧାନ (୧୨) ଓ ବର୍ଷା ପ୍ରଧାନ (୮ )ଙ୍କୁ ସାଇକଲରେ ବସାଇ ଅସୁରେଶ୍ୱର ଯାଇଥିଲେ। ସେଠାରେ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ନରେନ୍ଦ୍ରପୁରରୁ ଅସୁରେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଆସୁଥିବା ବାଲି ବୋଝେଇ ଟ୍ରକ (ଓଆର-୦୯-ଏଫ୍‌-୧୭୪୪) କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତାରେ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବଡବାପା ଗଜେନ୍ଦ୍ର ଓ ସ୍ଥାନୀୟ ଜମରା ପ୍ରାଥମିକ ବିଦ୍ୟାଳୟରେ ୪ର୍ଥ ଶ୍ରେଣୀରେ ଅଧ୍ୟୟନ କରୁଥିବା ଝିଆରୀ ବର୍ଷାଙ୍କ ମୃତ୍ୟୁ ଘଟିଥିଲା। ସାଇକଲରେ ବସିଥିବା ଗଜେନ୍ଦ୍ରଙ୍କ ବଡ ଝିଆରୀ ସିପ୍ରା (୧୨) ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଖବର ପାଇ ଉତ୍ତ୍ୟକ୍ତ ଲୋକେ ଟ୍ରକକୁ ଭାଙ୍ଗିରୁଜି ଦେବା ସହ ନିଆଁ ଲଗାଇ ଜାଳି ଦେଇଛନ୍ତି । ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୁରଣ ଦାବିକରି ସ୍ଥାନୀୟ ଲୋକେ ମୃତଦେହକୁୁ ରାସ୍ତା ଉପରେ ଅଟକାଇ ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ନିଶ୍ଚିନ୍ତକୋଇଲି ଥାନା ପୁଲିସ, ଏସ୍‌ଡିପିଓ ପି.କେ.ଜେନା ଓ ସାଲେପୁର ଥାନା ଅଧିକାରୀ ପ୍ରଶାନ୍ତ ମାଝି ଘଟଣାସ୍ଥଳରେ ପହଞ୍ଚିଛନ୍ତି । ପୁଲିସ ମୃତ ଗଜେନ୍ଦ୍ରଙ୍କ ପିତା ରାଜେଶ ପ୍ରଧାନଙ୍କ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ କରୁବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରଇଭର ଦେବଦାସ ନାୟକକୁ ଗିରଫ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର