ପର୍ଜଙ୍ଗ/କାମାକ୍ଷାନଗର: ଶ୍ରମିକଙ୍କୁ ବଞ୍ଚାଇବା ପାଇଁ ମାଲିକ ଉଦ୍ୟମ କରିଛନ୍ତି। ଏଥି ପାଇଁ ସେ କୂଅ ଭିତରକୁ ପଶିଛନ୍ତି। କିନ୍ତୁ ଶ୍ରମିକଙ୍କ ସହିତ ନିଜେ ଶ୍ବାସରୁଦ୍ଧ ହୋଇ ଆଖି ବୁଜିଛନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଅଧିନରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରଜଙ୍ଗ ଥାନା ସରକିଶୋରପାଳ ଗାଁରେ କୂଅ ଭିତରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ୨ ଜଣ ହେଲେ ମାଲିକ ଶଶିଭୂଷଣ ସାହୁ (୫୨) ଓ ଶ୍ରମିକ ଭଜମନ ବେହେରା (୪୫)।
ସୂଚନା ଅନୁସାରେ ସରକିଶୋରପାଳ ଗାଁର ଶଶିଭୂଷଣ ସାହୁ ଆଜି ମଧ୍ୟାହ୍ନ ସମୟରେ ନିଜ କୂଅ ସଫା କରିବା ଗ୍ରାମର ଭଜମନ ବେହେରାଙ୍କୁ ଡାକିଥିଲେ। ଦିନ ୧୨ଟାରେ ଭଜମନ ଗଭୀର କୂଅ ସଫା କରିବାକୁ ପଶିଥିଲେ। କିନ୍ତୁ ସେ ଦୀର୍ଘ ସମୟ ହେଲା କୂଅ ଭିତରୁ ନ ବାହାରିବାରୁ ଶେଷରେ ଶଶିଭୂଷଣ ମଧ୍ୟ କୂଅ ଭିତରକୁ ପଶିଥିଲେ। ଅନ୍ୟପଟରେ କୂଅ ବାହାରେ ଥିବା ଲୋକେ ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ଶଶିଭୂଷଣ ଓ ଭଜମନଙ୍କ କୋଳହଳ ନଶୁଣିପାରିବାରୁ ବ୍ୟସ୍ତ ହୋଇପଡ଼ିଥିଲେ। ତେଣୁ ସେମାନେ ଦମକଳ ବାହିନୀକୁ ସୂଚନା ଦେଇଥିଲେ। ସେପଟେ ଘଟଣାସ୍ଥଳରେ ଦମକଳବାହିନୀ ପହଂଚି ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି । ଏ ନେଇ ଗାଁରେ ଶୋକାକୋଳ ପରିବେଶ ସୃଷ୍ଟି ହୋଇଛି।