ଦୁଇ ଜୀବନ ନେଲା ତ୍ରୁଟିପୂର୍ଣ୍ଣ ଚିକିତ୍ସା: ଘରୋଇ ନର୍ସିଂ ହୋମ୍‌ରେ ଚାଲିଗଲା ପ୍ରସୂତୀଙ୍କ ପ୍ରାଣ

ଡାକ୍ତର ଓ ନର୍ସିଂ ହୋମ୍ ବିରୋଧରେ ସାଂଘାତିକ ଅଭିଯୋଗ, ଥାନାରେ ମାମଲା

ବାରିପଦା: ବାରିପଦାରେ ଥିବା ଏକ ଘରୋଇ ନର୍ସିଂ ହୋମ୍‌ରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା କାରଣରୁ ଯାଇଛି ଜଣେ ପ୍ରସୂତୀଙ୍କ ପ୍ରାଣ। ଏଥିସହିତ ଦୁନିଆ ଦେଖିବା ଆଗରୁ ଆଖିବୁଜିଛି ଆଉ ଏକ ଜୀବନ। ଡାକ୍ତର ଏବଂ ନର୍ସିଂହୋମ୍ କର୍ତ୍ତୃପକ୍ଷଙ୍କ ଚରମ ଅବହେଳାରୁ ଏପରି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର।

ମିଳୁଥିବା ସୂଚନା ଅନୁଯାୟୀ ଆଜି ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୪, କାଳିକାପୁର ଅଞ୍ଚଳର ସନ୍ଦୀପ ଦାସ ତାଙ୍କ ପତ୍ନୀ ଆରତୀମଣୀଙ୍କର ଗର୍ଭ ଯନ୍ତ୍ରଣା ହେବାରୁ ଏକ ଘରୋଇ ନର୍ସିଂ ହୋମ୍‌କୁ ସକାଳ ପ୍ରାୟ ୮.୪୫ରେ ଆଣିଥିଲେ। ପରିବାର ଲୋକଙ୍କ କହିବା ଅନୁଯାୟୀ ଚିକିତ୍ସା କରୁଥିବା ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଡାକ୍ତରଙ୍କ ପରାମର୍ଶ କ୍ରମେ ଗର୍ଭ ଯନ୍ତ୍ରଣା ବଢାଇବା ପାଇଁ ୨୦ ମିନିଟ ବ୍ୟବଧାନରେ ଦୁଇଟି ଇଂଜେକସନ ଦିଆଯାଇଥିଲା। ଫଳରେ ଆରତୀମଣିଙ୍କର ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା।

ତେବେ ନର୍ସିଂହୋମ୍ କର୍ତ୍ତୃପକ୍ଷ ଏନେଇ ଡାକ୍ତରଙ୍କୁ କୌଣସି ସୂଚନା ଦେଇନଥିଲେ। ଫଳରେ ଘଟଣାସ୍ଥଳରେ ହିଁ ମା ଏବଂ ର୍ଗଭସ୍ଥ ଶିଶୁର ପ୍ରାଣ ଚାଲିଯାଇଥିଲା। ଏସମ୍ପର୍କରେ ଜାଣିପାରି ସେଠାରୁ କୌଶଳକ୍ରମେ ଖସି ଚାଲି ଯାଇଥିଲେ । ପ୍ରସୂତୀଙ୍କ ପରିବାର ପକ୍ଷରୁ ତାଙ୍କୁ ଫୋନ ଯୋଗେ ଯୋଗାଯୋଗ ପାଇଁ ବାରମ୍ବାର ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ନର୍ସିଂହୋମରେ ଭର୍ତ୍ତି କରିବାର ମାତ୍ର କିଛି ଘଣ୍ଟା ମଧ୍ୟରେ ଆରତୀମଣିଙ୍କର ମୃତ୍ୟୁ ଖବର ପାଇ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା।

ନର୍ସିଂହୋମ୍ କର୍ତ୍ତୃପକ୍ଷଙ୍କ ସମ୍ବେଦନହୀନ ଆଚରଣ ଏବଂ ଉଚ୍ଚାରଣ ମଧ୍ୟ ପରିସ୍ଥିତିକୁ ଆହୁରି ଜଟିଳ କରିଥିଲା। ଏସମ୍ପର୍କରେ ସୂଚନା ପାଇ ବାରିପଦା ଟାଉନ୍ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ବାରିପଦା ଟାଉନ ଥାନାରେ ସମ୍ପୃକ୍ତ ଡାକ୍ତର ଓ ନର୍ସିଂହୋମ ବିରୋଧରେ ଲିଖିତ ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର