କନ୍ୟା ଛାଡ଼ି ଫେରିବା ବେଳେ ଦୁର୍ଘଟଣା: ଦୁଇ ମୃତ, ୯ ଆହତ

ଥୁଆପାଲି/ବରପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ କୁତପାଲି ଦୁଇମୁହାଣି ଆଇଟିଆଇ କଲେଜ୍‌ ସମ୍ମୁଖରେ ଗୁରୁବାର ଅପରାହ୍ନ ସାଢ଼େ ୩ଟା ସମୟରେ ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ୯ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇ ଜଣ ହେଲେ କୁମ୍ଭାରୀ ଗ୍ରାମର ଈଶ୍ବର ବିଶି (୪୫) ଓ ରଞ୍ଜିତ ସାହୁ (୪୨)। ଆହତ ମାନେ ହେଲେ ରାମଚନ୍ଦ୍ର ପ୍ରଧାନ, ଦଶରଥ ବିଶି, ଜିତୁ ବିଶ୍ବାଳ, ପଞ୍ଚାନନ ପ୍ରଧାନ, କିଶୋର ପ୍ରଧାନ, ଆଶିଷ ପ୍ରଧାନ, ନିହାର ପ୍ରଧାନ, ରାଜୀବ ପ୍ରଧାନ ଏବଂ ଧର୍ମେନ୍ଦ୍ର ଭୋଇ। ରାମଚନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ୍‌ ପଠାଯାଇଛି। ଅନ୍ୟ ଆହତଙ୍କୁ ଭେଡ଼େନରେ ପ୍ରାଥମିକ ଚିକିତ୍ସା ପରେ ବରଗଡ଼ ପଠାଯାଇଛି।

ବରପାଲି ଥାନା କୁମ୍ଭାରୀ ଗାଁରୁ ଏକ ପିକ୍‌ଅପରେ ପ୍ରାୟ ୩୦ଜଣ ଲୋକ ଭେଡ଼େନ ଥାନା ଗଳିମାକୁ ନବବିବାହିତ କନ୍ୟା ଛାଡ଼ି ଭୋଜିଭାତ ଖାଇ ଫେରୁଥିଲେ। ଭେଡ଼େନ ଆଇଟିଆଇ ନିକଟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରାୟ ୨୦ଫୁଟ୍ ତଳକୁ ଖସି ପଡ଼ିଥିଲା। ଗାଡ଼ି ଚାଳକ ଧର୍ମେନ୍ଦ୍ର ଭୋଇ ଦୁର୍ଘଟଣା ପରେ ମାନସିକ ଭାରସାମ୍ୟ ହରାଇ ନିକଟସ୍ଥ ଏକ ଗଛରେ ଗାମୁଛା ଭିଡ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣାପଡ଼ିଛି। ଭେଡ଼େନ ଥାନା ଏସ୍‌ଆଇ ଦୟାନିଧି ପାତ୍ର, ଏଏସ୍‌ଆଇ ସୁନୀଲ୍ ଦାଶ ସମେତ ଅନ୍ୟ କର୍ମଚାରୀ, ସ୍ବେଚ୍ଛାସେବୀ ଅନୁଷ୍ଠାନ ଅମୃତ କୁଟୁମ ଏବଂ ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର