ବଲେରୋ-ବାଇକ୍‌ ଧକ୍କା : ୨ ମୃତ, ଜଣେ ଗୁରୁତର

ବରଗଡ଼ରୁ ଧନୁଯାତ୍ରା ଦେଖି ଫେରୁଥିଲେ

ଭଟଲି : ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଚଣ୍ଡୀ ମନ୍ଦିର ଛକରେ ସୋମବାର ମଧ୍ୟ ରାତ୍ରିରେ ଏକ ବଲେରୋ (ସିଜି ୦୬ଜି-୩୯୯୬) ଓ ବାଇକ୍‌ (ଓଡି ୧୫କେ-୪୫୯୫) ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ଜଣେ ଗୁରୁତର ଥିବା ଜଣାପଡ଼ିଛି। ପ୍ରାପ୍ତ ସୂଚନାନୁସାରେ ବରଗଡ଼ରୁ ଏକ ବଲେରୋ ଧନୁଯାତ୍ରା ଦେଖିବାକୁ ଆସିଥିବା ଯାତ୍ରୀଙ୍କୁ ନେଇ ଅମ୍ବାଭୋନା ବ୍ଲକ୍‌ ଚିଚୋଲିକୁ ଫେରୁଥିଲା। ତେବେ ରାତି ପ୍ରାୟ ୧୧ଟା ୪୫ରେ ଭଟଲି ଚଣ୍ଡୀ ମନ୍ଦିର ପୂର୍ବରୁ ହଠାତ୍‌ ଗାଡ଼ିର ଡାହାଣ ପାର୍ଶ୍ବ ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ସାମ୍‌ନାପଟୁ ଆସୁଥିବା ଏକ ବାଇକ୍‌କୁ ମୁହାଁମୁହିଁ ଧକ୍କା ଦେଇଥିଲା। ବାଇକ୍‌ରେ ଥିବା ୩ ଜଣ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମର ଜୟଦେବ ବେହେରା, ହାତୀବାରିର ଶେଷଦେବ ବେହେରା ଓ ବୌଦ୍ଧ ଜିଲ୍ଲା ଦାମୋଦରପୁରର ସୁବ୍ରତ ସେଠୀ (୩୫) ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବରଗଡ଼ ଡାକ୍ତରଖାନାକୁ ପଠାଇଥିବା ବେଳେ ସେଠାରେ ଜୟଦେବଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମାତ୍ର ବୁର୍ଲାରେରେ ପହଞ୍ଚିବା ବେଳକୁ ସୁବ୍ରତଙ୍କ ମଧ୍ୟ ମୃତ୍ୟୁ ହୋଇ ସାରିଥିଲା। ଗୁରୁତର ଅବସ୍ଥାରେ ଶେଷଦେବ ଚିକିତ୍ସାଧୀନ ଅଛନ୍ତି।

ସମ୍ବନ୍ଧିତ ଖବର