କାର୍‌ ଦୁର୍ଘଟଣାରେ ଆଈ-ନାତି ମୃତ, ଝିଅ ଗୁରୁତର

ବଡ଼ମ୍ବା : ବଡ଼ମ୍ବା ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁରରେ ଆଜି ଅପରାହ୍ନ ପ୍ରାୟ ୪ଟା ବେଳେ ଏକ କାର୍‌ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ମହିଳା ଗୁରୁତର ଥିବା ଜଣାଯାଇଛି । ମୃତକ ହେଲେ କାନପୁର ଥାନା ଅନ୍ତର୍ଗତ ହରିପୁର ଗ୍ରାମର ନୟନୀ ଦାଶ(୭୦) ଏବଂ ନାତି ରତାପାଟ ଗ୍ରାମର ଜ୍ୟୋତିରଞ୍ଜନ ପଣ୍ଡା(୨୫) । ଗୁରୁତର ଆହତ ହୋଇଥିବା ମହିଳା ମୃତ ନୟନୀ ଦାଶଙ୍କ ଝିଅ ସଂଧ୍ୟାରାଣୀ ପଣ୍ଡା ବୋଲି ଜଣାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରିଛି।

ଘଟଣାରୁ ପ୍ରକାଶ ଯେ ଆଜି ମୃତ ନୟନୀ ଦାଶ ଝିଅ ସଂଧ୍ୟାରାଣୀ ଏବଂ ନାତି ଜ୍ୟୋତିଙ୍କ ସହିତ ଚିକିତ୍ସା ପାଇଁ ବାଇକ୍ ଯୋଗେ ବଡ଼ମ୍ବା ଡାକ୍ତରଖାନା ଆସୁଥିଲେ। ବାଟରେ ଅର୍ଥାତ୍ କୃଷ୍ଣଚନ୍ଦ୍ରପୁର ପଞ୍ଚାୟତ ଅଫିସ ନିକଟରେ ବାଇକ୍ ରଖି ସେମାନେ ରାସ୍ତା ପାର୍ଶ୍ବରେ ପରିଶ୍ରା ପାଇଁ ଯାଇଥିବା ବେଳେ ବଡ଼ମ୍ବାରୁ ନରସିଂହପୁର ଅଭିମୁଖେ ଦ୍ରୁତଗତିରେ ଯାଉଥିବା ଏକ ମାରୁତି ସୁଜୁକୀ କାର ଭାରସାମ୍ୟ ହରାଇ ସେମାନଙ୍କ ଉପରେ ମାଡ଼ିଯାଇଥିଲା । ଫଳରେ ମାଆ ନୟନୀ, ଝିଅ ସଂଧ୍ୟାରାଣୀ ଏବଂ ନାତି ଜ୍ୟୋତି ଦୁର୍ଘଟଣାଗ୍ରାସ୍ତ ହୋଇ ଗୁରୁତର ହୋଇଥିଲେ । ଖବରପାଇ ବାଲିଝରୀ ଅଗ୍ନିଶମ ବିଭାଗ ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାରକରି ବଡ଼ମ୍ବା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ନୟନୀଙ୍କୁ ମୃତ ଘୋଷଣା କରିଥିବା ବେଳେ ସଂକଟାପନ୍ନ ଥିବା ନାତି ଜ୍ୟୋତି ଏବଂ ଝିଅ ସଂଧ୍ୟାରାଣୀଙ୍କୁ ପ୍ରାଥମିକ ଚିକିତ୍ସା କରାଇ ଅଧିକ ଚିକିତ୍ସା ଲାଗି କଟକ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସଂଧ୍ୟାରେ ଜ୍ୟୋତିଙ୍କର କଟକରେ ମୃତ୍ୟୁ ଘଟିଥିବା ବେଳେ ସଂଧ୍ୟାରାଣୀ ଏବେ ଚିକିତ୍ସାଧୀନ ଥିବା ପରିବାର ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର