ସଲ୍ଟ ରୋଡ଼ରେ ଦୁର୍ଘଟଣା: ୨ ମୃତ ଜଣେ ଗୁରୁତର

ବାଲେଶ୍ବର : ବାଲେଶ୍ବର ସହର ବଙ୍କାଖଜୁରୀ ଛକରୁ ବାସୁଦେବପୁର ଯାଇଥିବା‌ ସଲ୍ଟରୋଡ଼ର ସାହାଦା ପେଟ୍ରୋଲପମ୍ପ ସମ୍ମୁଖରେ ବୁଧବାର ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ସାଇକଲ ଆରୋହୀ ଏବଂ ଜଣେ ମୋଟର ସାଇକଲ ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାଇକ୍‌ରେ ଥିବା‌ ଅନ୍ୟଜଣେ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଚାନ୍ଦିପୁର ଥାନା ଅଧୀନ ମୁଲ୍ଲାନଗରର ଅବି‌ନାଶ ବେହେରା(୨୮) ଓ ଟାଉନ୍‌ ଥାନା ପୁରୁଣାବାଲେଶ୍ବର ଅଞ୍ଚଳର ରମେଶ ଚନ୍ଦ୍ର ମାଝୀ(୫୨)। ସେହିପରି ଗୁରୁତର ଆହତ ହୋଇଥିବା ବାଇକ୍‌ଆରୋହୀଙ୍କ ନାଁ ତୁଷାର ପାତ୍ର(୩୨) ବୋଲି ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି।

ମିଳିଥିବା ସୂଚନା ଅନୁସା‌େର ବୁଧବାର ସଂଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ପୁରୁଣା ବାଲେଶ୍ବରର ରମେଶ ମାଝୀ ଏବଂ ତୁଷାର ପାତ୍ର ବାସୁଦେବପୁରରୁ ମାର୍ବଲ କାମ ସାରି ବାଇକ୍‌(ଓଡି-୦୧ଏଜେ-୭୭୬୩)ରେ ଫେରୁଥିବା ବେଳେ ସାହାଦା ଛକଠାରେ ଥିବା ପେଟ୍ରୋଲ ପମ୍ପ ନିକଟରେ ବାଲେଶ୍ବରରୁ ନିଜ ଘରକୁ ସାଇକଲରେ ଫେରୁଥିବା ଅବିନାଶ ବେହେରାଙ୍କ ସହ ଧକ୍କା ହୋଇଥିଲା। ଏହାପରେ ସେମାନଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ଅବିନାଶ ଓ ରମେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସଦର ଥାନା ପୁଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସମ୍ପୃକ୍ତ ବାଇକ୍‌ ଓ ସାଇକଲକୁ ଜବତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର