ବାଇକ୍‌କୁ ପିଟିଲା ଅଜଣା ଗାଡ଼ି : ବାପ-ପୁଅ ମୃତ, ନାତି ଗୁରୁତର

କାମାକ୍ଷାନଗର : କଙ୍କଡ଼ାହାଡ଼ ଥାନା କଙ୍କଡ଼ାହାଡ଼-ମହାବିରୋଡ଼ ମୁଖ୍ୟ ରାସ୍ତାର ଭଦଳିଆ ଛକ ନିକଟରେ ଆଜି ଅପରାହ୍ଣ ପ୍ରାୟ ୩ଟାବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଜଣା ଗାଡ଼ି ଧକ୍‌କାରେ ବାପା, ପୁଅଙ୍କର ପ୍ରାଣହାନି ଘଟିଥିବାବେଳେ ନାତି ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ଡୋଲିଆ ଗାଁର ଜଗବନ୍ଧୁ ସର୍ଦ୍ଦାର(୫୫), ତାଙ୍କ ପୁଅ ବିରଞ୍ଚି ସର୍ଦ୍ଦାର(୨୭) ଏବଂ ବିରଞ୍ଚିଙ୍କ ପୁଅ ସୁଜିତ(୫) ଏକ ମଟର ସାଇକେଲ୍‌(ଓଡି୦୬ଜି-୧୬୫୫)‌େର ଭଦଳିଆ ଗାଁରୁ ଘରକୁ ଫେରୁଥିଲେ। ଭଦଳିଆ ଛକଠାରୁ କିଛି ଦୂରରେ କୌଣସି ଗାଡ଼ି ତାଙ୍କ ମଟର ସାଇକେଲ୍‌କୁ ଧକ୍‌କା ଦେଇ ପଳାଇ ଯାଇଥିଲା। ଘଟଣାସ୍ଥଳରେ ବିରଞ୍ଚିଙ୍କର ମୃତ୍ୟୁ ଘଟିଥିଲା। କଙ୍କଡ଼ାହାଡ଼ ଦମକଳ ବାହିନୀ ଗୁରୁତର ଆହତ ଜଗବନ୍ଧୁ ଓ ସୁଜିତଙ୍କୁ ଉଦ୍ଧାର କରି କାମାକ୍ଷାନଗର ଡାକ୍ତରଖାନାରେ ଭର୍ତି କରିଥିଲେ। ସେଠାରେ ଜଗବନ୍ଧୁଙ୍କର ମୃତ୍ୟୁ ଘଟିଛି। ସୁଜିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ମୃତଦେହ ଓ ଦୁର୍ଘଟଣାଗ୍ରସ୍ତ ମଟର ସାଇକେଲ୍‌ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର