ନୂଆପଡ଼ା : ନୂଆପଡ଼ା ସଦର ଥାନା ସିଲଦା ନିକଟରେ ଏକ ବାଇକ୍‌କୁ ଡମ୍ପର ଧକ୍କା ଦେବାରୁ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ନୂଆପଡ଼ା ଏନ୍‌ଏସି ଅନ୍ତର୍ଗତ ସାଲେଭଟା ଗାଁର ଛବିଲାଲ ପାଣ୍ଡେ(୫୫), ନାଙ୍ଗଦେବ ମାଝୀ(୩୫)। ତାଙ୍କ ସହିତ ଥିବା ସିନାପାଲି ଥାନା ଗୋଡାଲ ଗାଁର ଗୋବର୍ଦ୍ଧନ ହରପାଲ(୫୬) ଗୁରୁତର ଆହତ ହୋଇଛନ୍ତି।

Advertisment

ପ୍ରକାଶ ଯେ ସାଲେଭଟା ଗାଁର ଛବିଲାଲ ବିଶାପାଟଣାକୁ ଚିକିତ୍ସିତ ହେବାକୁ ବାହାରିଥିଲେ। ରବିବାର ସନ୍ଧ୍ୟାରେ ଛବିଲାଲ ଓ ତାଙ୍କ ସମ୍ପର୍କୀୟ ଗୋବର୍ଦ୍ଧନଙ୍କୁ ଏକ ବାଇକ୍‌ରେ ନାଙ୍ଗଦେବ ଖରିଆରରୋଡ ରେଲଓ୍ବେ ଷ୍ଟେସନକୁ ଛାଡ଼ିବାକୁ ଯାଉଥିଲେ। ସେଠାରୁ ଟ୍ରେନ୍‌ରେ ବିଶାଖାପଟଣା ଯାଇଥାନ୍ତେ। ସଦର ଥାନା ସିଲଦା ସିଆର୍‌ପିଏଫ୍‌ କ୍ୟାମ୍ପ ନିକଟରେ ଜାତୀୟ ରାଜପଥ ୩୫୩ ଉପରେ ଏହି ବାଇକ୍‌କୁ ଏକ ଡମ୍ପର ଧକ୍କା ଦେଇ ଫେରାର୍‌ ହୋଇଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଛବିଲାଲ ଓ ନାଙ୍ଗଦେବଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଗୋବର୍ଦ୍ଧନଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ଡମ୍ପର (ସିଜି ୦୭ ବିଡବ୍ଲୁ ୩୬୫୧)କୁ ସଦର ଥାନା ଏସ୍‌ଆଇ ଗୁରୁଦେବ କର୍ମୀ ପିଛା କରି ଖଡ଼ିଆଳଠାରେ ଧରିଥିଲେ। ଏବେ ଗାଡ଼ିକୁ ଜବତ କରିବା ସହ ଚାଳକକୁ ଖଡ଼ିଆଳ ଥାନାରେ ଅଟକ ରଖାଯାଇଛି। ସୋମବାର ଉଭୟଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂଚନା ଦେଇଛି।