ବଅଁରପାଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ବଅଁରପାଳ ଛକଠାରୁ ପ୍ରାୟ ୧ କିଲୋମିଟର ଦୂର ଗୋତମରା ଗାଁ ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ବାଇକ୍ରେ ଯାଉଥିବା ଜଣେ ଯୁବକ ଗୁରୁତର ଆହତ ହୋଇଥିବାବେଳେ ତାଙ୍କର ଦୁଇ ଭାଣିଜୀଙ୍କ ଜୀବନ ଚାଲିଯାଇଛି।
ସୂଚନା ଅନୁଯାୟୀ, ଢେଙ୍କାନାଳ ଜିଲ୍ଲା ଗୋବିନ୍ଦପୁର ଅଞ୍ଚଳର ଦୁର୍ଯ୍ୟୋଧନ ମହାରଣା ଆଜି ଅପରାହ୍ନରେ ନିଜ ବାଇକ୍ (ଓଡ଼ି-୦୫-ବିଏଫ-୨୬୦୭)ରେ ତାଳଚେର ଡେରା ଅଭିମୁଖେ ଯାଉଥିଲେ। ଗୋତମରା ଛକ ନିକଟରେ ଏକ ଟ୍ରକ୍ (ଓଡ଼ି-୧୯ଇ- ୩୭୩୭) ତାଙ୍କୁ ପଛରୁ ଧକ୍କା ଦେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ, ବାଇକ ଚାଳକ ଦୁର୍ଯ୍ୟୋଧନ ମହାରଣା ଦୂରକୁ ଛିଟିକି ପଡ଼ିଥିବାବେଳେ ତାଙ୍କ ସହିତ ଯାଉଥିବା ତାଙ୍କର ଦୁଇ ଭାଣିଜୀ କଟକର ଲକ୍ଷ୍ମୀପ୍ରିୟା ଓଝା (୨୯) ଓ ଡେରା ଗ୍ରାମର ଯାଜ୍ଞସେନୀ ମହାରଣା (୧୧) ଟ୍ରକ୍ ବାମଚକ ତଳେ ପଡ଼ିଯାଇଥିଲେ। ଘଟଣାସ୍ଥଳରେ ଲକ୍ଷ୍ମୀପ୍ରିୟା ଓ ଯାଜ୍ଞସେନୀଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଦୁର୍ଯ୍ୟୋଧନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ବଅଁରପାଳ ପୁଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।
ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ବାଇକ୍ ଜବତ କରିବା ସହ ଏ ସଂପର୍କରେ ମାମଲା ରୁଜୁକରି ତଦନ୍ତ ଚଳାଇଛି।