ଭୁବନେଶ୍ବର: ଅଶାନ୍ତ ରାଜଧାନୀରେ ଦୁର୍ବୃତ୍ତମାନେ ଦୁଇ ଦୁଇଟି ମୁଣ୍ଡ ଗଡ଼ାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଛନ୍ତି। ଆଜି ସକାଳୁ ସକାଳୁ ଖଣ୍ଡଗିରି ଥାନା ସରକନ୍ତରାରେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରାଯାଇଛି। ରାଜଧାନୀ ଛାତି ଉପରେ ମାତ୍ର ୫/୬ଘଣ୍ଟା ଭିତରେ ଘଟିଥିବା ଦୁଇ ଦୁଇଟି ଛାତିଥରା ହତ୍ୟାକାଣ୍ଡ ରାଜଧାନୀବାସୀଙ୍କ ଭିତରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ସପ୍ତାହରେ ଇନ୍ଫୋଭ୍ୟାଲି ଥାନା ଅଞ୍ଚଳରେ ଏକ ଆଶ୍ରମରେ ଗୁଳିକାଣ୍ଡ ଘଟିଥିଲା। ପୁଲିସ ସେହି ମାମଲାରେ ଦୁର୍ବୃତ୍ତମାନଙ୍କୁ ଗିରଫ କରିଥିଲେ ହେଁ ପୁଣି ଦୁଇ ଦୁଇଟି ହତ୍ୟାକାଣ୍ଡ ଯୋଗୁ ରାଜଧାନୀ ଅପରାଧୀଙ୍କ ଚରାଭୂଇଁ ପାଲଟିଛି ବୋଲି ଚର୍ଚ୍ଚା ଜୋର୍ ଧରିଛି। ଆଜି ସକାଳ ପ୍ରାୟ ସାଢ଼େ ୮ଟା ବେଳେ ସରକନ୍ତରା ଗାଁ ଦାଣ୍ଡରେ ଗୁଳିମାଡ଼ ହେଲା। ସବୁଦିନ ଭଳି ଭୁବନେଶ୍ବର ଏମ୍ସରେ ଲ୍ୟାବ୍ ଆସିଷ୍ଟାଣ୍ଟ ଭାବେ କାମ କରୁଥିବା ପଠାଣି ଖୁଣ୍ଟିଆଙ୍କ ପୁଅ ସୁଧାଂଶୁ ଡ୍ୟୁଟିକୁ ବାହାରିଥିଲେ। ସେ ଘରଠାରୁ ମାତ୍ର ୨୦୦ ମିଟର ଯାଇଛନ୍ତି, ସୁଧାଂଶୁଙ୍କୁ ତାଙ୍କ ଦାଦା ସୁକାନ୍ତ ଖୁଣ୍ଟିଆଙ୍କ ପୁଅ ଶିବା ଓ ତା’ର ୨ ସହଯୋଗୀ ଅଟକାଇଥିଲେ। ସୁଧାଂଶୁ କିଛି ବୁଝିବା ପୂର୍ବରୁ ଶିବା ବନ୍ଧୁକ ବାହାର କରି ଆଖିବୁଜା ଗୁଳିମାଡ଼ କଲା।
ପ୍ରଥମ ଗୁଳି ସୁଧାଂଶୁଙ୍କ ହାତରେ ବାଜିଥିଲା। ସେ ବାଇକ୍ ଛାଡ଼ି ଜୀବନ ବିକଳରେ ନିକଟରେ ଥିବା ଏକ ଘରର ବାଡ଼ି ଭିତରକୁ ଦୌଡ଼ିଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଗୁଳିକରି ଚାଲିଥିଲେ। ଦୁଇଟି ଗୁଳି ପିଠିରେ ବାଜି ପେଟ ପଟେ ବାହାରି ଯାଇଥିଲା। ଫଳରେ ସୁଧାଂଶୁ ଟଳି ପଡ଼ିଥିଲେ। ସୁଧାଂଶୁଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀମାନେ ଧାଇଁ ଆସିବା ବେଳକୁ ଶିବା ଓ ତା’ର ସହଯୋଗୀମାନେ ଏକ ସ୍କୁଟି ଯୋଗେ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ସୁଧାଂଶୁଙ୍କୁ ନେଇ ଏମ୍ସରେ ଭର୍ତ୍ତି କରିଥିଲେ, ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ଖଣ୍ଡଗିରି ଥାନା ପୁଲିସ, ସ୍ପେସାଲ୍ ସ୍କ୍ବାଡ୍ ଓ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିଲା। ଘଟଣାସ୍ଥଳରୁ ୩ଟି ଖୋକା ଓ ଗୋଟିଏ ଗୁଳି ମିଳିଛି। ସେହିଭଳି ପୁଲିସ ଶିବାର ଗତିବିଧି ଜାଣିବା ପାଇଁ ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା।
୫ରାଉଣ୍ଡ ଗୁଳିମାଡ଼, ଗୋଟିଏ ଗୁଳି, ୩ଖୋକା ଜବତ
ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଘରଡିହକୁ ନେଇ ପଠାଣି ଓ ସୁକାନ୍ତଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ପଠାଣିଙ୍କ ମାଆ ନାତି ସୁଧାଂଶୁଙ୍କ ନାଁରେ ଘରଡିହ କାଗଜପତ୍ର କରିଦେଇଥିବାରୁ ଏହି ବିବାଦ କୋର୍ଟ ପର୍ଯ୍ୟନ୍ତ ଯାଇଥିଲା। କିଛିଦିନ ତଳେ କୋର୍ଟଙ୍କ ରାୟ ସୁଧାଂଶୁଙ୍କ ସପକ୍ଷରେ ଯାଇଥିଲା। ଏହାକୁ ନେଇ ସୁକାନ୍ତ ଓ ତାଙ୍କ ପୁଅ ଶିବା ରାଗରେ ଜଳୁଥିଲେ। ଦଶହରା ସମୟରେ ଶିବା ଖଣ୍ଡା ବୁଲାଇ ସୁଧାଂଶୁଙ୍କୁ ହତ୍ୟା ଧମକ ଦେଇଥିଲା। ସେବେଠୁ ସୁଧାଂଶୁଙ୍କୁ ରାସ୍ତାରୁ ହଟାଇବା ପାଇଁ ଶିବା ଛକି ରହିଥିଲା ଏବଂ ଆଜି ତା’ର ମିସନ୍ ପୂରଣ କରିବାରେ ସଫଳ ହୋଇଛି। ପୁଲିସ ଘଟଣାସ୍ଥଳରେ ଛାନ୍ଭିନ୍ କରୁଥିବା ବେଳେ ସୁଧାଂଶୁଙ୍କ ସମ୍ପର୍କୀୟ ଦାଦା ଜ୍ଞାନରଂଜନ, ଶିବା ଘରକୁ ଯାଇ ପଚାରିଥିଲେ। ଉତ୍କ୍ଷିପ୍ତ ହୋଇ ସୁକାନ୍ତ, ତାଙ୍କ ସ୍ତ୍ରୀ ଓ ସାନପୁଅ, ଜ୍ଞାନରଂଜନଙ୍କୁ ମାଡ଼ ମାରିଥିଲେ। ସୁକାନ୍ତ ଏକ ଖଣ୍ଡାରେ ତାଙ୍କୁ ଆକ୍ରମଣ କରିଥିଲା। ଗଣ୍ଡଗୋଳ ଖବର ଶୁଣି ପୁଲିସ ସେଠାରେ ପହଞ୍ଚି ସୁକାନ୍ତ, ତାଙ୍କ ସ୍ତ୍ରୀ ଓ ସାନ ପୁଅକୁ ଥାନାକୁ ଉଠାଇ ନେଇଥିଲା।
ଅନ୍ୟପଟେ ଚନ୍ଦ୍ରଶେଖରପୁର ଥାନା ଚୁନୁକୋଳି ବସ୍ତିରେ ହତ୍ୟାର ଶିକାର ହୋଇଥିବା ଯୁବକଙ୍କ ପରିଚୟ ମିଳିପାରିନାହିଁ। ପାଖାପାଖି ୨୫ବର୍ଷ ବୟସର ଯୁବକଜଣଙ୍କୁ ପଥରରେ ଛେଚି ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି। ପୁଲିସ ଘଟଣାସ୍ଥଳରୁ ରକ୍ତଭିଜା ପଥର ଜବତ କରିଛି। ମୃତକଙ୍କ ପରିଚୟ ପାଇବା ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି। ଆଜି ସକାଳେ ନିର୍ମାଣାଧୀନ ଏକ ତାରକା ହୋଟେଲ୍ ଆଡ଼କୁ ଯାଉଥିବା ଶ୍ରମିକମାନେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିବା ଯୁବକଙ୍କୁ ଦେଖି ପୁଲିସକୁ ଜଣାଇଥିଲେ। ମୃତଦେହରେ କୌଣସି ପୋଷାକ ନଥିଲା। ଯୁବକଙ୍କ ମୁହଁ, ମୁଣ୍ଡକୁ କେହି ଦୁର୍ବୃତ୍ତ ପଥରରେ ଛେଚି ଦେଇଥିବାରୁ ମୁହଁ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେଣୁ ତାଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଛି। ସେହିଭଳି ଶରୀରରେ ଥିବା କ୍ଷତଚିହ୍ନରୁ ଅନୁମାନ କରାଯାଉଛି ଯେ ପ୍ରଥମେ ତାଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିବା ପରେ ପ୍ରମାଣ ନଷ୍ଟ କରିବାକୁ ପଥରରେ ଛେଚି ମୁହଁ ଓ ମୁଣ୍ଡକୁ ନଷ୍ଟ କରିଦିଆଯାଇଛି। ତେଣୁ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି କୁହାଯାଉଛି।