ନୂଆପଡ଼ା : ନୂଆପଡ଼ା ଜିଲ୍ଲା ସଦର ବ୍ଲକ୍ କୁଲିଆବନ୍ଧା ପେକ୍ସ କର୍ମଚାରୀଙ୍କ ଅବହେଳା ହେତୁ ୨୨ ଜଣ ଚାଷୀ ଚଳିତ ବର୍ଷ ରବିଧାନ ବିକ୍ରି କରିବାକୁ ବଞ୍ଚିତ ହୋଇଛନ୍ତି। ଏ ସଂପର୍କରେ ଗୁରୁବାର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଜିଲ୍ଲାପାଳ କୁଲିଆବନ୍ଧା ପେକ୍ସର ୨ଜଣ ଡାଟାଏଣ୍ଟ୍ରି ଅପରେଟର (ଡିଇଓ) ତୋଷରାମ ପାେଣ୍ଡ ଓ ବାବୁଲାଲ ହଂସଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି।
ପ୍ରକାଶ ଯେ, ଚଳିତ ବର୍ଷ ରିବଧାନ ବିକ୍ରି ପାଇଁ ଏହି ପେକ୍ସରେ ୧୩୮ଜଣ ଚାଷୀ ଆଧାର ଡାର୍କ ସହ ବିଭିନ୍ନ କାଗଜପତ୍ର ଦେଇ ଆବେଦନ କରିଥିଲେ। ହେଲେ ୧୧୬ ଜଣ ଚାଷୀଙ୍କ ଟୋକନ ଆସିଥିଲା ଓ ୨୨ ଜଣ ଚାଷୀ ଟୋକନରୁ ବଞ୍ଚିତ ହୋଇଥିଲେ। ଫଳରେ ଉକ୍ତ ୨୨ଜଣ ଚାଷୀ ଏଆର୍ସିଏସ୍ ଓ ଯୋଗାଣ ଅଧିକାରୀଙ୍କ ପାଖକୁ ଆସି ଆଲୋଚନା କରିଥିଲେ। ଏମାନେ ପଞ୍ଜୀକରଣ ସମୟରେ ଆଧାର କାର୍ଡ ନମ୍ବର ଦେଇ ନଥିବାରୁ ଧାନବିକ୍ରି କରିବାରୁ ବଞ୍ଚିତ ହୋଇଥିବା ଜଣାପଡ଼ିଥିଲା। ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚିଠି ନଂ ୬୮୭ରେ ଉକ୍ତ ଦୁଇ ଡିଇଓଙ୍କୁ ବହିଷ୍କାର କରାଯାଇଛି।
ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ନୂଆପଡ଼ା ବ୍ଲକ୍ରେ ୧୯୯ଜଣ ଚାଷୀ ଧାନ ବିକ୍ରି କରିବାରୁ ବଞ୍ଚିତ ହୋଇଥିଲେ। ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ନୂଆପଡ଼ା ପେକ୍ସ ସମ୍ପାଦକଙ୍କୁ ନିଲମ୍ବିତ କରିଥିବା ବେଳେ ୨ଜଣ ଡିଇଓଙ୍କୁ ବହିଷ୍କାର କରିଥିଲେ। ଜିଲ୍ଲାରେ ପ୍ରତିବର୍ଷ ପେକ୍ସ କର୍ମଚାରୀଙ୍କ ଅବହେଳା ହେତୁ ବହୁଚାଷୀ ଖରିଫ ଓ ରିବଧାନ ବିକ୍ରିରୁ ବଞ୍ଚିତ ହେଉଛନ୍ତି ବୋଲି ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/paddy.jpg)