ଭୁବନେଶ୍ବର: ରାଜ୍ୟରେ ପ୍ରଥମ କରି ଗଠନ ହେଉଥିବା ବିଜେପି ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ନିମାପଡ଼ା ବିଧାୟିକା ପ୍ରଭାତୀ ପରିଡ଼ା ଓ ପାଟଣାଗଡ଼ ବିଧାୟକ କନକବର୍ଦ୍ଧନ ସିଂହଦେଓ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ଆଜି ଦଳ ପକ୍ଷରୁ ଘୋଷଣା ହୋଇଛି। ବିଜେପି ଦୁଇ ଜଣଙ୍କୁ ମୁଖ୍ୟମନ୍ତ୍ରୀ କରିବା ପରେ ରାଜ୍ୟରେ ୨୫ବର୍ଷ ପରେ ପୁଣି ଉପମୁଖ୍ୟମନ୍ତ୍ରୀ ବ୍ୟବସ୍ଥା ଆରମ୍ଭ ହୋଇଛି। ଦୀର୍ଘ ୨୫ବର୍ଷ ଓଡ଼ିଶାରେ ଶାସନ କରିଥିବା ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ଓଡ଼ିଶାରେ କେହି ମୁଖ୍ୟମନ୍ତ୍ରୀ ନଥିବାବେଳେ ପୂର୍ବରୁ ତିନି ଜଣ ଉପମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇଛନ୍ତି। ୧୯୭୨ରେ ନନ୍ଦିନୀ ଶତପଥୀ ଉତ୍କଳ କଂଗ୍ରେସର ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ସେତେବେଳେ ବାସୁଦେବପୁର ବିଧାୟକ ନୀଳମଣି ରାଉତରାୟ ଜୁନ୍ ୧୪, ୧୯୭୨ରୁ ମାର୍ଚ୍ଚ ୧, ୧୯୭୩ ପର୍ଯ୍ୟନ୍ତ ୨୬୦ଦିନ ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ।
ପ୍ରଭାତୀ ଓ କନକବର୍ଦ୍ଧନଙ୍କ ପୂର୍ବରୁ ତିନି ଜଣ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ
ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସରକାରରେ ଥିଲେ ଦୁଇ ଉପମୁଖ୍ୟମନ୍ତ୍ରୀ
ନୀଳମଣି ରାଉତରାୟ, ହେମାନନ୍ଦ ବିଶ୍ବାଳ ଓ ବସନ୍ତ ବିଶ୍ବାଳ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି
ଏହାପରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନେତୃତ୍ବରେ ଭାରତୀୟ ଜାତୀୟ କଂଗ୍ରେସ ସରକାର ଆସିବା ପରେ ଲଇକେରା ବିଧାୟକ ହେମାନନ୍ଦ ବିଶ୍ବାଳ ଦ୍ବିତୀୟ ଓ ତିର୍ତ୍ତୋଲ ବିଧାୟକ ବସନ୍ତ ବିଶ୍ବାଳ ତୃତୀୟ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ହେମାନନ୍ଦ ମାର୍ଚ୍ଚ ୧୫, ୧୯୯୫ରୁ ମେ’୯, ୧୯୯୮ ପର୍ଯ୍ୟନ୍ତ ୩ବର୍ଷ ୫୫ଦିନ ପାଇଁ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ବସନ୍ତ ମାର୍ଚ୍ଚ ୧୫, ୧୯୯୫ରୁ ଫେବ୍ରୁଆରି ୧୭, ୧୯୯୯ ପର୍ଯ୍ୟନ୍ତ ଉପମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହାପରେ ଗିରିଧର ଗମାଙ୍ଗ ଓ ହେମାନନ୍ଦ ବିଶ୍ବାଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ହୋଇଥିଲେ ହେଁ ତାଙ୍କ ସରକାରରେ କେହି ଉପମୁଖ୍ୟମନ୍ତ୍ରୀ ହୋଇନଥିଲେ। ଏବେ କଂଗ୍ରେସ ସରକାର ଭଳି ବିଜେପି ସରକାରରେ ଦୁଇ ଜଣ ଏକସଙ୍ଗେ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି।