ରାଜ୍ୟରେ କରୋନାରେ ଆଉ ୨ ମୃତ

୧୪୩ ନୂଆ ପଜିଟିଭ୍ ଓ ଆଉ ୧୪୩ ସୁସ୍ଥ

ଭୁବନେଶ୍ବର : ରାଜ୍ୟରେ କରୋନାରେ ଆଉ ୨ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ତେବେ ତହିଁରୁ ଜଣେ କରୋନା ଓ ଅନ୍ୟ ଜଣେ କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘୋଷଣା କରାଯାଇଛି। ଅପରପକ୍ଷରେ ଗତ ୨୪ଘଣ୍ଟାରେ ରାଜ୍ୟରେ ୧୪୩ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସମାନ ସଂଖ୍ୟକ ରୋଗୀ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ରାଜ୍ୟରେ ଏବେ କରୋନା ଜନିତ ମୃତ୍ୟୁ ୧୫ରେ ପହଞ୍ଚିଛି। ଗଞ୍ଜାମ ଜିଲ୍ଲାର ୪୬ବର୍ଷର ଜଣେ ବ୍ୟକ୍ତି କରୋନା ଜନିତ ନିମୋନିଆରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଥିଲା। ଏହାବାଦ୍ ମୟୂରଭଞ୍ଜର ୬୦ବର୍ଷର ଜଣେ ବ୍ୟକ୍ତି ଗଳା କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କରୋନା ପଜିଟିଭ୍ ଚିହ୍ନଟ ହେବା ସହିତ କର୍କଟ ରୋଗ ପାଇଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରବର୍ତୀ ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେଣୁ ହେଲ୍‌ଥ ଅଡିଟ୍‌ରେ ତାଙ୍କୁ କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟରେ ଏଭଳି କରୋନା ଜନିତ ମୃତ୍ୟୁ ସଂଖ୍ୟା ୬ ଛୁଇଁଛି।

ରାଜ୍ୟର ୧୭ଟି ଜିଲ୍ଲାରୁ ୧୪୩ ଜଣ ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ତହିଁରେ ଗଞ୍ଜାମର ସର୍ବାଧିକ ୩୨ଜଣ ଥିବା ବେଳେ କଟକ ୨୨, ଖୋର୍ଧା ୧୬, ନୟାଗଡ଼ ଓ ବାଲେଶ୍ବର ୧୩ଜଣ ଲେଖାଏ, ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୦, କଳାହାଣ୍ଡି ୬, ସମ୍ବଲପୁର ୫, ଭଦ୍ରକ ୪, ଢେଙ୍କାନାଳ ୩, କେନ୍ଦୁଝର ୨, ଜଗତସିଂହପୁର, ବଲାଙ୍ଗୀର, ବରଗଡ଼, ଅନୁଗୁଳ ଓ ଝାରସୁଗୁଡ଼ାରେ ଜଣେ ଲେଖାଏ ପଜିଟିଭ୍ ଚିହ୍ନଟ କରାଯାଇଛି। ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଓ ୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

Regeneration International

ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ ୧ ହଜାର ସଂକ୍ରମିତ ସଂଖ୍ୟାର ନିକଟତର ହୋଇଛି। ଗଞ୍ଜାମରେ ଏ ପର୍ଯ୍ୟନ୍ତ ୯୨୫ଜଣଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଖୋର୍ଧାରେ ୬୫୪ ଜଣ ରହିଛନ୍ତି। ଏହାବାଦ୍ କଟକରେ ୪୮୪, ଯାଜପୁର ୩୮୨, ବାଲେଶ୍ବର ୩୦୭, ଗଜପତି ୨୩୮, ପୁରୀ ୨୧୪, କେନ୍ଦ୍ରାପଡ଼ା ୨୧୩, ଜଗତସିଂହପୁର ୨୦୯, ଭଦ୍ରକ ୨୦୦, ସୁନ୍ଦରଗଡ଼ ଓ କନ୍ଧମାଳ ୧୫୯, ବଲାଙ୍ଗୀର ୧୫୨, ମୟୂରଭଞ୍ଜ ୧୪୫, ନୟାଗଡ଼ ୧୨୯, କେନ୍ଦୁଝରରେ ୧୦୦ ଆକ୍ରାନ୍ତ ଅଛନ୍ତି। ରାଜ୍ୟରେ ଏବେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଛି।

ଅପରପକ୍ଷରେ ଆଜି ସୁସ୍ଥ ହୋଇଥିବା ରୋଗୀଙ୍କ ମଧ୍ୟରେ ୧୮ଜଣ ଗଜପତି, ବରଗଡ଼, ମାଲକାନାଗିରି ଓ ପୁରୀରେ ୧୫ଜଣ ଲେଖାଏ, ବଲାଙ୍ଗୀର ୧୨, କଟକ ୧୦, ଖୋର୍ଧା ୯, ମୟୂରଭଞ୍ଜ ୮, କେନ୍ଦ୍ରାପଡ଼ା ୬, ବାଲେଶ୍ବର, ଢେଙ୍କାନାଳ ଓ ସମ୍ବଲପୁରରୁ ୫ଜଣ ଲେଖାଏ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, ଯାଜପୁର ଓ କଳାହାଣ୍ଡିରୁ ୩ଜଣ ଲେଖାଏ, କନ୍ଧମାଳ ଓ କେନ୍ଦୁଝର ୨ଜଣ ଲେଖାଏ ଓ ସୁନ୍ଦରଗଡ଼ର ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ୩୮୬୩ରେ ପହଞ୍ଚିଛି। ଏବେ ୧୪୧୯ଜଣ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଥିବା ବେଳେ ୧୫୬୪ଜଣ ରାଜ୍ୟର ବିଭିନ୍ନ ହସ୍ପିଟାଲର ପୃଥକବାସରେ ଅଛନ୍ତି।

ସମ୍ବନ୍ଧିତ ଖବର