ରାୟଗଡ଼ା: ବିଳମ୍ବିତ ରାତିରେ ରାୟଗଡ଼ା ଜିଲ୍ଲା ଶଙ୍କରଡ଼ା ଗ୍ରାମ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଲୁମିନା ଗୁଣ୍ଡ ଵୋଝେଇ ଟ୍ୟାଙ୍କର ଏବଂ ବାଇକର ମୁହାଁମୁହିଁ ଧକ୍କାରେ ବାଇକ ଚାଳକ ସହିତ ଜଣେ ଆରୋହୀଙ୍କର ମୃତ୍ୟୁ ହୋଇଛି। ସେହିପରି ଦୁର୍ଘଟଣା ଫଳରେ ଟ୍ୟାଙ୍କରରେ ନିଆଁ ଲାଗିଯିବାରୁ ଟ୍ୟାଙ୍କର ଚାଳକ ଆହତ ହୋଇ ସ୍ଥାନୀୟ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାଯାଇଛି।
ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ଥାନୀୟ ଉତ୍କଳ ଆଲୁମିନା ପ୍ଲାଣ୍ଟରୁ ଆଲୁମିନା ଗୁଣ୍ଡ ବୋଝେଇ କରି ଫେରୁଥିବା ଏକ ଟ୍ୟାଙ୍କର ବିପରୀତ ଦିଗରୁ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ମୃତକଙ୍କ ମଧ୍ୟରୁ ଜଣେ ଟିକିରି ଥାନା ଅନ୍ତର୍ଗତ ଡେଙ୍ଗାଗୁଡ଼ା ଗ୍ରାମର ମହେଶ୍ବର ମାଝୀ ଏବଂ ଆଉ ଜଣେ ଶଙ୍କରଡ଼ା ପଞ୍ଚାୟତର ସୁରେଶ ମାଝୀ ବୋଲି ଜଣାଯାଇଛି। କ୍ଷତିପୂରଣ ଦାବି କରି ଗ୍ରାମବାସୀମାନେ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଖବର ପାଇ ଟିକିରି ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଏବଂ ମାଜିଷ୍ଟ୍ରେଟ କୁଶ ଗରଡ଼ା ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।