ଭୁବନେଶ୍ୱର : ରାଜ୍ୟରେ କରୋନାର ତୃତୀୟ ଲହର ଶେଷ ହୋଇ ଆସୁଥିବା ବେଳେ ଗୋଟିଏ ପରେ ଗୋଟିଏ ଜିଲ୍ଲା କରୋନା ମୁକ୍ତ ହେବାରେ ଲାଗିଛି। ଏବେ କଳାହାଣ୍ଡି ଓ କେନ୍ଦୁଝର ଜିଲ୍ଲାରେ ଜଣେ ହେଲେ ବି ଚିକିତ୍ସାଧୀନ ରୋଗୀ ନାହାନ୍ତି। ଏହାସହ ରାଜ୍ୟର ଆଉ ୫ ଜିଲ୍ଲାରେ ‌ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦ତଳେ ରହିଛି। ତେଣୁ ଏସବୁ ଜିଲ୍ଲା ମଧ୍ୟ ଖୁବଶୀଘ୍ର କରୋନା ମୁକ୍ତ ହେବେ ବୋଲି ଆଶା କରାଯାଉଛି।

Advertisment

କରୋନାର ତୃତୀୟ ଲହର ଏବେ ଏକ ଥିକ୍‌ ଟେଲ୍‌ ବା ମୋଟା ଲାଞ୍ଜ ସଦୃଶ ହୋଇଛି। ଗତ ସପ୍ତାହ ହେଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ଜାରି ରହିଛି। ଆଶ୍ବସ୍ତିର ବିଷୟ ହେଉଛି, ଏକାଧିକ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଅନୁଗୁଳ, ସମ୍ବଲପୁର, ଖୋର୍ଧା, ଝାରସୁଗୁଡ଼ା, ଗଜପତି ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶୂନ କିମ୍ବା ୧୦ ତଳେ ଦେଖିବାକୁ ମିଳିଛି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ଲକ୍ଷ ୮୬ହଜାର ୯କୁ ବୃଦ୍ଧି ପାଇଛି।

publive-image YouTube

ଚଳିତ ତୃତୀୟ ଲହରରେ ତୃତୀୟ ଥର ଲାଗି ରାଜ୍ୟରେ ଆଜି କୌଣସି କରୋନା ମୃତକ ଘୋଷଣା ହୋଇ ନାହାନ୍ତି। ରାଜ୍ୟରେ ମୋଟ କରୋନା ମୃତକଙ୍କ ସଂଖ୍ୟା ୯୧୦୧ରେ ସ୍ଥିର ରହିଛି। ନିକଟରେ ଆଇସିଏମ୍‌ଆର ପକ୍ଷରୁ ଦେଶରେ ତୃତୀୟ ଲହରରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୯୨ ପ୍ରତିଶତ ଟିକା ନେଇ ନ ଥିବା ଦାବି କରାଯାଇଛି। ଓଡ଼ିଶାରେ ଗତ ୨ମାସ ଭିତରେ ୬୨୮ରୁ ଅଧିକ ସଂକ୍ରମିତ କରୋନାରେ ପ୍ରାଣ ହରାଇଛନ୍ତି। ତହିଁରୁ ୫୦ ପ୍ରତିଶତ ‌ଆଦୌ କୋଭିଡ ଟିକା ନେଇ ନାହାନ୍ତି। ବଳକା ୫୦ ପ୍ରତିଶତ ମଧ୍ୟରୁ ୩୦ ପ୍ରତିଶତ ପ୍ରଥମ ଓ ୨୦ ପ୍ରତିଶତ ‌ଦ୍ବିତୀୟ ଡୋଜ୍ ଟିକା ନେଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ମାତ୍ର ଯେତିକି ସଂକ୍ରମିତ ପ୍ରାଣ ହରାଇଛନ୍ତି ତହିଁରୁ ୮୦ ପ୍ରତିଶତ କୋ-ମର୍ବିଡ୍‌ ବା ଜଟିଳ ରୋଗରେ ପ୍ରାଣ ହରାଇଥିବା କୁହାଯାଇଛି। ରାଜ୍ୟରେ ତୃତୀୟ ଲହରରେ ଓମିକ୍ରନ୍ ନୁହେଁ, ଡେଲ୍‌ଟା ଯୋଗୁଁ ଅଧିକ ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗର ଅଧିକାରୀମାନେ ପୂର୍ବରୁ ଦାବି କରି ଆସିଛନ୍ତି।

ରାଜ୍ୟରେ ସୋମବାର ଦିନ୨୨୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦୮୮କୁ ଖସି ଆସିଛି। ଅନ୍ୟପକ୍ଷରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୨ଲକ୍ଷ ୭୫ହଜାର ୭୬୭କୁ ବୃଦ୍ଧି ପାଇଛି।