ରାସ୍ତାକଡ଼‌େର କନ୍ୟା ଜନ୍ମ ଘଟଣା : ପ୍ରସବ କରାଇଥିବା ଦୁଇ ଡାକ୍ତର ସମ୍ମାନିତ

ବ୍ରହ୍ମପୁର : ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ଗତକାଲି ଜଣେ ପ୍ରସୂତି ରାସ୍ତାକଡ଼ରେ ଶିଶୁକନ୍ୟା ଜନ୍ମ ଦେଇଥିଲେ। ମହିଳାଙ୍କ ଏପରି ଅବସ୍ଥା ଦେଖି ସେହି ରାସ୍ତା ଦେଇ ଯାଉଥିବା ଦୁଇଜଣ ଡାକ୍ତର ମାନବିକତା ଦୃଷ୍ଟିରୁ ସହାୟତାର ହାତ ବଢ଼ାଇଥିଲେ। ତୁରନ୍ତ ଉଭୟ ଡାକ୍ତର ସେଠାରେ ପହଞ୍ଚି ପ୍ରସବ କରାଇଥିଲେ। ମହିଳା ଜଣକ ଏକ ଶିଶୁକନ୍ୟା ଜନ୍ମ ଦେଇଥିଲେ। ବିନା କୌଣସି ମେଡିକାଲ ସୁବିଧାରେ ଉଭୟ ଡାକ୍ତର ରାସ୍ତାକଡ଼େ ସଫଳ ପ୍ରସବ କରାଇ ଶିଶୁକନ୍ୟା ଓ ପ୍ରସୂତିଙ୍କ ଜୀବନ ରକ୍ଷା କରିଥିଲେ। ଉଭୟ ଡାକ୍ତରଙ୍କ ଏହି ମାନବିକତାକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଇଥିବାବେଳେ ଆଜି ସେମାନଙ୍କୁ ସମ୍ମାନିତ କରାଯାଇଛି। ସମ୍ମାନିତ ହୋଇଥିବା ଡାକ୍ତରଦ୍ବୟ ହେଲେ ଡା. ‌ରୌନକ ଗାନ୍ଧୀ ଓ ଡା. ଦେବଦର୍ଶିନୀ ସାହୁ। ଏମ୍‌କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍‌ ପ୍ରଫେସର ରାଧାମାଧବ ତ୍ରିପାଠୀ ଏବଂ ମେଡିକାଲ ଅଧୀକ୍ଷକ ପ୍ରଫେସର ଚରଣ ପଣ୍ଡା ଉଭୟଙ୍କୁ ଆଜି ସମ୍ମାନିତ କରିଛନ୍ତି। ଡାକ୍ତରଙ୍କ କାମ ହେଲା ରୋଗୀଙ୍କ ଜୀବନ ବଞ୍ଚାଇବା। ଯେ କୌଣସି ପରିସ୍ଥିତି ହେଉ ନା କାହିଁକି ଡାକ୍ତରମାନେ ସବୁ ବେଳେ ରୋଗୀଙ୍କୁ ସେବା ଯୋଗାଇ ଆସୁଛନ୍ତି। ଠିକ୍ ସେହିଭଳି ଜଣେ ମଣିଷ ହିସାବରେ ଅସୁବିଧାରେ ପଡ଼ି ଛଟପଟ ହେଉଥିବା ମହିଳାଙ୍କୁ ମାନବିକତା ଦୃଷ୍ଟିରୁ ସହଯୋଗ କରିଥିବା ନେଇ ଉଭୟ ଡାକ୍ତର କହିଛନ୍ତି। ଉଭୟ ଡାକ୍ତରଙ୍କ ଏହି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

ପ୍ରକାଶ ଥାଉ କି ସାମନ୍ତିଆପଲ୍ଲୀର କେ. ହରିକୃଷ୍ଣଙ୍କ ପତ୍ନୀ ପାର୍ବତୀ ଗର୍ଭବତୀ ଥିଲେ। ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସ୍ବାମୀଙ୍କ ସହିତ ବ୍ରହ୍ମପୁର ଆସିଥିଲେ। ଗତକାଲି ସକାଳ ପ୍ରାୟ ୯ଟା ବେଳେ କୋର୍ଟପେଟା ଛକରେ ପତ୍ନୀ ଛିଡ଼ା ହୋଇଥିବା ବେଳେ ସ୍ବାମୀ ମେଡିକାଲ ପରୀକ୍ଷା ରିପୋର୍ଟ ଆଣିବା ପାଇଁ ଯାଇଥିଲେ। ଏହି ସମୟରେ ପାର୍ବତୀ ହଠାତ୍‌ ପ୍ରସବ ଯନ୍ତ୍ରଣା ଅନୁଭବ କରି ତଳେ ବସି ପଡ଼ିଥିଲେ। ଏହା ଦେଖି ନିକଟରେ ଛିଡ଼ା ହୋଇଥିବା କିଛି ମହିଳା ତୁରନ୍ତ ପାର୍ବତୀଙ୍କ ପାଖକୁ ଯାଇ ଚାରିପଟେ ଶାଢ଼ି ଘୋଡ଼ାଇ ଦେଇଥିଲେ। ଏହାଦେଖି ସେହି ରାସ୍ତା ଦେଇ ଯାଉଥିବା ଡା. ରୌନକ ଓ ଡା. ଦେବଦର୍ଶିନୀ ସେଠାରେ ରହି ମହିଳାଙ୍କ ସଫଳ ପ୍ରସବ କରାଇଥିଲେ। ପରେ ମା’-ଶିଶୁକୁ ଆମ୍ବୁଲାନ୍ସରେ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର