୫ ମିନିଟ୍‌ରେ ଫୋଡ଼ିଦେଲେ ଦୁଇ ଡୋଜ୍‌ କରୋନା ଟିକା

ପଣସିଆ : ବାରଣ ସତ୍ତ୍ବେ ୫ ମିନିଟ୍‌ ବ୍ୟବଧାନରେ ଦୁଇ ଥର ଟିକା ଫୋଡ଼ିଦେଲେ। ଟିକାଦାନ ଦାୟିତ୍ବରେ ଥିବା କର୍ମଚାରୀଙ୍କ ଅବହେଳା ହେଉ ବା ଭୁଲ କାରଣରୁ ହେଉ, କରୋନା ଟିକା ନେଇଥିବା ବ୍ୟକ୍ତିଜଣକ କିନ୍ତୁ ସୁସ୍ଥ ଅଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍‌ ରଘୁପୁର ପଞ୍ଚାୟତ ଖୁଣ୍ଟାପୁରସ୍ଥିତ ସତ୍ୟସାଇ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗତକାଲି (ଶନିବାର) ଏକ ଅସ୍ଥାୟୀ ଟିକାକରଣ କ୍ୟାମ୍ପ୍‌ ହୋଇଥିଲା। ଏହି କେନ୍ଦ୍ରକୁ କୋଭିସିଲଡ୍‌ର ମୋଟ ୧୮୦ ଡୋଜ୍‌ ଟିକା ଆସିଥିବାବେଳେ ଲଗାଣ ବର୍ଷା ଯୋଗୁ ୧୬୪ ଜଣ ଲୋକ ଟିକା ନେବାକୁ ପହଞ୍ଚିଥିଲେ। ସେହି ଭିତରେ ଥିଲେ ବାଛୁରୀପଡ଼ା ଗ୍ରାମର ପ୍ରସନ୍ନ କୁମାର ସାହୁ (୫୧)। ସ୍ଲଟ୍‌ ବୁକିଂ କରି ପ୍ରଥମ ଡୋଜ୍‌ ଟିକା ନେବାକୁ ଆସିଥିଲେ ପ୍ରସନ୍ନ। ଆଧାର କାର୍ଡ ଦେଖାଇ ନାମ ପଞ୍ଜୀକରଣ କରିବା ପରେ ତାଙ୍କ ପାଳି ପଡ଼ିବାରୁ ସେ ଟିକାକରଣ ଗୃହକୁ ଯାଇ ଚୌକିରେ ବସିଥିଲେ। ସେଠାରେ ଥିବା ନର୍ସ ତାଙ୍କୁ ପ୍ରଥମ ଡୋଜ୍‌ ଟିକା ଦେଇଥିଲେ ଓ ଅଧଘଣ୍ଟା ପାଇଁ କେନ୍ଦ୍ରରେ ବିଶ୍ରାମ ନେବାକୁ କହିଥିଲେ। ତେବେ ପ୍ରସନ୍ନ ସେହି ‌ଚୌକିରେ କିଛି ସମୟ ବସି ରହିଥିବା ବେଳେ ଉକ୍ତ ନର୍ସଜଣକ ପୁଣି ଆଉ ଗୋଟିଏ ଡୋଜ୍‌ ତାଙ୍କୁ ଦେଇଥିଲେ। ପ୍ରସନ୍ନ ପାଟି କରିବା ବେଳକୁ ଟିକା ଫୋଡ଼ା ସରିଥିଲା। ଦୁଇଥର ଟିକା ନେବା ପରେ ସେ ଭୟଭୀତ ହୋଇ ପଡ଼ିଥିଲେ। ତେବେ ସେଠାରେ ଉପସ୍ଥିତ କର୍ମଚାରୀମାନେ ତାଙ୍କୁ କେନ୍ଦ୍ରରେ ୨ ଘଣ୍ଟା ବିଶ୍ରାମ ନେବାକୁ କହିବା ସହ ପରେ ୪ଟି ଓଆର୍‌ଏସ୍‌ ପ୍ୟାକେଟ୍‌ ଦେଇ ଘରକୁ ପଠାଇ ଦେଇଥିଲେ। ଏହା ମଧ୍ୟ କହିଥିଲେ, ଯଦି କୌଣସି ଅସୁବିଧା ହୁଏ, ତା’ହେଲେ କାହାରିକୁ କିଛି ନଜଣାଇ ସ୍ଥାନୀୟ ସରକାରୀ ଡାକ୍ତରଖାନାକୁ ଯାଇ ଦେଖା କରିବ।

ଏ ସମ୍ପର୍କରେ ଟିକାକରଣ କେନ୍ଦ୍ରର ସୁପରଭାଇଜର ରାଜେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ବ୍ୟକ୍ତି ଜଣକ ଟିକା ନେଇସାରିଲା ପରେ ବି ସେହି ସ୍ଥାନରୁ ଉଠିନଥିଲେ। କର୍ମଚାରୀମାନେ ବହୁତ ସମୟ ଧରି ଛିଡ଼ା‌ ହୋଇ ଟିକା ପ୍ରଦାନ କରିଥିବାରୁ ଥକି ପଡ଼ିଥିଲେ ଓ ବ୍ୟସ୍ତତା ଭିତରେ ଏହି ଭୁଲ୍‌ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର