୫୦ଲକ୍ଷଙ୍କୁ ଦୁଇ ଡୋଜ୍ ଟିକା

ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣରେ ଆଜି ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ୫୦ଲକ୍ଷ ଲୋକ ଦୁଇ ଡୋଜ୍ ଟିକା ସଂପୂର୍ଣ୍ଣ କରିଛନ୍ତି। ଗତ ଜାନୁଆରି ମାସରେ ରାଜ୍ୟରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୮ମାସରେ ଏହି ଲକ୍ଷ୍ୟ ପୂରଣ ହୋଇଛି। ରାଜ୍ୟରେ ସମୁଦାୟ ୨କୋଟି ୧୦ଲକ୍ଷ ୬୨ହଜାର ୫୧୭ ଡୋଜ୍ ଟିକା ଦିଆ ଯାଇଥିବା ବେଳେ ଏଥିରେ ୧ କୋଟି ୬୦ଲକ୍ଷ ୪୮ହଜାର ୪୪୧ଜଣଙ୍କୁ ଅତିକମ୍‌ରେ ଗୋଟିଏ ଡୋଜ୍ ଟିକା ମିଳିଛି। ରାଜ୍ୟରେ ସମୁଦାୟ ୩.୧ କୋଟି ଲୋକଙ୍କୁ କରୋନା ଟିକା ଦିଆଯିବା ନେଇ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ରାଜ୍ୟରେ ଦୈନିକ ଟିକାକରଣ ‌ଏବେ ପ୍ରାୟ ୨ଲକ୍ଷ ତଳେ ରହିଛି। ରାଜ୍ୟ ସରକାର ଦୈନିକ ସାଢ଼େ ୩ଲକ୍ଷ ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଥିଲେ ହେଁ ଟିକାର ଅଭାବ ଯୋଗୁଁ ଏହି ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ।

ଏଥିପାଇଁ ସରକାର ଏବେ ଦ୍ବିତୀୟ ଡୋଜ୍‌ ଟିକାକୁ ଅଗ୍ରାଧିକାର ଦେଉଛନ୍ତି। ଏହାସହ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକାକରଣକୁ ଅଧିକ ଗୁରୁତ୍ବ ଦିଆଯାଉଛି। ଆଜି ରାଜ୍ୟରେ ୮୯୭ ଟିକାକରଣ ଅଧିବେଶନ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ୧ଲକ୍ଷ ୩୦ହଜାର ୯୬୨ଜଣଙ୍କୁ ଟିକା ଦିଆଯାଇଥିଲା। ୧୮-୪୪ବର୍ଗର ୫୯,୪୩୬ ପ୍ରଥମ ଓ ୨୮,୬୭୩ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ସେହିପରି ୪୫ବର୍ଷରୁ ଅଧିକ ୧୯,୪୪୯ଜଣ ପ୍ରଥମ ଓ ୨୨,୧୫୮ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଥିଲେ। ଏହାସହ ୧୪୩୪ ଗର୍ଭବତୀଙ୍କୁ ଟିକା ଦିଆଯାଇଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୮୯,୯୯୨ ଗର୍ଭବତୀ ଟିକା ନେଇ ସାରିଲେଣି। ଆସନ୍ତାକାଲି ରାଜ୍ୟରେ ୬୦୨ ଟିକାକରଣ ଅଧିବେଶନ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର