ବ୍ରାହ୍ମଣୀ ନଦୀକୁ ଗାଧୋଇବା ପାଇଁ ଯାଇଥିଲେ, ପାଣିରେ ବୁଡି ୨ ମୃତ

ଦେବଗଡ଼: ବାରକୋଟ ଥାନାଚଂଳରେ ଆଜି ପାଣିରେ ବୁଡି ୨ଜଣଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ବାରକୋଟ ଥାନାଚଂଳର ପୁରୁଣାବାରକୋଟ ଗ୍ରାମର କ୍ଷୀରୋଦ ବିହାରୀ ମହାନନ୍ଦ(୩୭) ଆଜି ନିକଟସ୍ଥ ବ୍ରାହ୍ମଣୀ ନଦୀକୁ ଗାଧେଇବା ପାଇଁ ଯାଇଥିବାବେଳେ ଅସାବଧତାବଶତଃ ପାଣିରେ ବୁଡିଯାଇଥିଲେ । ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଗ୍ରାମବାସୀମାନଙ୍କ ଠାରୁ ସୂଚନାପାଇ ବାରକୋଟ ଥାନା ପୁଲିସ ଶବ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ବାରକୋଟ ଥାନାଚଂଳର ସିଂହଶାଳ ଗ୍ରାମରେ ଜଣେ ବୃଦ୍ଧା ପାଣିରେ ବୁଡି ମୃତ୍ୟୁ ଘଟିଛି । ମୃତକ ବୃଦ୍ଧା ଜଣକ ହେଲେ ସିଂହଶାଳ ଗ୍ରାମର କଲୋନୀ ସାହିର କସ୍ତୁରୀ ନାୟକ(୬୫) । କସ୍ତୁରୀ ଆଜି ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ପ‌ୋଖରୀକୁ ଗାଧେଇବା ପାଇଁ ଯାଇଥିଲେ । ତେବେ ସେ ଗାଧେଇବା ସମୟରେ ଅସାବଧତାବଶତଃ ପାଣିରେ ବୁଡିଯାଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଖବରପାଇ ବାରକୋଟ ଥାନା ପୁଲିସ ଘଟଣାସ୍ଥଳରେ ପଂହଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

ସମ୍ବନ୍ଧିତ ଖବର