ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ବ୍ଲକର ସ୍ବାଭିମାନ ଅଂଚଳରେ ରହିଥିବା ବାଲିମେଳା ଜଳଭଣ୍ଡାରରେ ଆଜି ଅପରାହ୍ନରେ ଦେଶୀ ଡଂଗା ବୁଡିଯିବାରୁ ଦୁଇ ଜଣ ବ୍ୟକ୍ତି ନିଖୋଜ ହୋଇଯାଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଦୁଇ ଜଣ ନିଖୋଜ ଥିବା ବ୍ୟକ୍ତି ଅଣ୍ଡ୍ରାପାଲୀ ପଞ୍ଚାୟତର ଓରାପଦରର ଗ୍ରାମର ବାସିନ୍ଦା।ଆଜି ନିରଙ୍ଗିଝୋଲା ଗ୍ରାମରେ ସାପ୍ତାହିକ ହାଟ ଥିଲା। ତେବେ ଓରାପଦର ଗ୍ରାମର ତିନି ଜଣ ଦେଶୀ ଡଂଗାରେ ସାପ୍ତାହିକ ହାଟ ସାରି ଘରକୁ ଫେରୁଥିଲେ। ତେବେ ଓରାପଦର ନିକଟରେ ହିଁ ଦେଶୀ ଡଂଗାଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।
ତେବେ ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ନିଖୋଜ ଥିବା ବେଳେ ଜଣେ କୌଣସି ପ୍ରକାରେ ବର୍ତ୍ତିଯାଇଥିବା କୁହାଯାଇଛି। ଖବର ପାଇ ଚିତ୍ରକୋଣ୍ଡା ଅଗ୍ନିଶମ ଏବଂ ପୁଲିସ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ତେବେ ଏହି ଘଟଣା କିପରି ଘଟିଲା କାହାକୁ ଜଣାନଥିବା ବେଳେ ନିଖୋଜ ବ୍ୟକ୍ତିଙ୍କ ଚିହ୍ନଟ ମଧ୍ୟ କରାଯାଇପାରୁନଥିବା ଜଣାପଡିଛି। ପୁଲିସର ତଦନ୍ତ ପରେ ସବୁ ପଦାକୁ ଆସିବ ବୋଲି କୁହାଯାଇଛି। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କୁହାଯାଉଛି। ଆସନ୍ତାକାଲି ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Mkg-Balimela-jala-bhandar-re-danga-budi-2.jpg)