ବ୍ରାହ୍ମଣୀରେ ବୁଡ଼ିଗଲେ ୨ ନାବାଳକ

ବରୀ/ରତ୍ନଗିରି : ଯାଜପୁରର ବରୀ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାହୁପଡା ବ୍ରାହ୍ମଣୀ ନଦୀ ତିନି ମୁହାଣୀ ତୁଠକୁ ଗାଧୋଇବାକୁ ଯାଇ ୨ ନାବାଳକ ବୁଡ଼ି ଯାଇଛନ୍ତି। ନାବାଳକ ଦ୍ବୟ ହେଲେ ସାହୁପଡ଼ା ଗ୍ରାମର ବ୍ରହ୍ମାନନ୍ଦ ବାରିକଙ୍କ ପୁଅ କାର୍ତ୍ତିକ (୧୩) ଏବଂ ରାଜୀବ ବାରିକଙ୍କ ପୁଅ ଆଦିତ୍ୟ ଓରଫ ରାହୁଲ(୧୧)। କାର୍ତ୍ତିକ ଅଷ୍ଟମରେ ପଢୁଥିବା ବେଳେ ରାହୁଲ୍‌ ଷଷ୍ଠରେ ପଢୁଥିଲେ।

ସୂଚନାନୁସାରେ ଆଜି ପୂର୍ବାହ୍ନ ୧୧ ଟା ‌େବଳେ ୨ ସାଙ୍ଗଙ୍କ ସହିତ କାର୍ତ୍ତିକ ଓ ରାହୁଲ୍‌ ସାହୁପଡା ଚେକ୍‌ଡ୍ୟାମ୍୍‌ ନିକଟ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବାବେଳେ ହଠାତ୍ ରାହୁଲ ପାଣିରେ ବୁଡିଯାଇଥିଲା। ରାହୁଲ୍‌କୁ ବଞ୍ଚାଇବାକୁ ଯାଇ କାର୍ତ୍ତିକ ମଧ୍ୟ ଅଥଳ ପାଣିରେ ବୁଡ଼ି ଯାଇଥିଲା। ଅନ୍ୟ ୨ଜଣ ସାଥୀ କୌଣସି ଉପାୟ ନପାଇ ଗାଁକୁ ଧାଇଁଥିଲେ। ପାଖରେ ଉପସ୍ଥିତ କେତେକ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହିତ ଉଭୟଙ୍କ ଘରେ ଖବର ଦେଇଥିଲେ। ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଖବର ପାଇ ବରୀ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ବରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ବରୀ ପୁଲିସ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଶବ ଜବତ୍‌ କରିବା ସହ ବ୍ୟବଚ୍ଛେଦେ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ୧୪/୧୮ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ଦୁଇ ନାବାଳକଙ୍କ ମୃତ୍ୟୁର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର