ଦୁଇ ଶିକ୍ଷାନୁଷ୍ଠାନ ହେବ ଉତ୍କର୍ଷ କେନ୍ଦ୍ର

ବ୍ରହ୍ମପୁର ପିଏମଇସିରେ ସାଇବର ସୁରକ୍ଷା ଓ ଏରୋସ୍ପେସ୍‌ ଉତ୍କର୍ଷ କେନ୍ଦ୍ର
କେନ୍ଦୁଝର ଜିଇସିରେ ଖଣି ସମ୍ବନ୍ଧୀୟ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର : ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ (ଏସ୍‌ଡିଟିଇ) ଅଧୀନ ବ୍ରହ୍ମପୁରସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ(ପିଏମଇସି) ଓ କେନ୍ଦୁଝରସ୍ଥିତ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ (ଜିଇସି)ଠାରେ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ପାଇଁ ୱାର୍ଲ୍ଡ ସ୍କିଲ୍ ସେଣ୍ଟରରେ ୩ଟି ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଓଡ଼ିଶାର ଦୁଇଟି ପ୍ରମୁଖ ଯାନ୍ତ୍ରିକ ମହାବିଦ୍ୟାଳୟ ଦେଶର ଦୁଇଟି ପ୍ରମୁଖ ଶିଳ୍ପସଂସ୍ଥା ଯଥା ଟେକ୍‌ ମହିନ୍ଦ୍ରା ଓ ଡାସୌଲ୍ଟ ସିଷ୍ଟମ୍ସ ଇଣ୍ଡିଆ ସହ ତିନୋଟି ଉତ୍କର୍ଷ କେନ୍ଦ୍ର ସ୍ଥାପନ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି। ଏହି ଉତ୍କର୍ଷ କେନ୍ଦ୍ରଗୁଡିକ ରାଜ୍ୟର ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଆହୁରି ଆଗେଇ ନେବା ସହ ଏକ ନୂତନ ଦିଗନ୍ତ ପ୍ରଦାନ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ ବିଦ୍ୟାର୍ଥୀମାନଙ୍କୁ ନୂତନ ଜ୍ଞାନକୌଶଳ ଶିଖିବା ସହ ଉନ୍ନତମାନର ପ୍ରଶିକ୍ଷଣ ପାଇବାରେ ସାହାଯ୍ୟ କରିବ। ରାଜ୍ୟର ‌ଟାଲେଣ୍ଟ ପୁଲ୍‌କୁ ବୃଦ୍ଧି କରିବାରେ ପ୍ରମୁଖ ଭୂମିକା ନିର୍ବା‌ହ କରିବ ବୋଲି ଦକ୍ଷତା ବିକ‌ାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି। ବିଭାଗୀୟ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଏହି ଉତ୍କର୍ଷ କେନ୍ଦ୍ର ସ୍ଥାପନ ଦ୍ୱାରା ରାଜ୍ୟର ସ୍କିଲ୍‌ ଇକୋ ସିଷ୍ଟମର ବୃଦ୍ଧି ହେବା ସହ ସ୍କିଲ୍‌ ଇନ ଓଡ଼ିଶା ବ୍ରାଣ୍ଡ୍‌କୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ସାହାଯ୍ୟ କରିବ ବୋଲି କହିଛନ୍ତି। ଟେକ୍‌ ମହିନ୍ଦ୍ରାର ସିଇଓ ସି ପି ଗୁଗୁନାନୀ ଭର୍ଚୁଆଲ୍‌ ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହୋଇ କହିଲେ ଦକ୍ଷତା ବିକାଶ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରମୁଖ ରାଜ୍ୟ ଭାବେ ଉଭା ହେବ। ପରବର୍ତ୍ତୀ ସମୟରେ ସାଇବର ସିକ୍ୟୁରିଟି ଓ କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌ ମାଧ୍ୟମରେ ବହୁତ ତଥ୍ୟ ସୁରକ୍ଷିତ କରିପାରିବ। ଡାସୌଲ୍ଟ ସିଷ୍ଟମ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିସେଲ୍‌ ଏସ୍‌ ଫ୍ରାନ୍ସରୁ ଭର୍ଚୁଆଲ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ କହିଲେ ତାଙ୍କ ସଂସ୍ଥା ଓଡ଼ିଶାରେ ଖଣି ଓ ଖଣିଜ ସମ୍ପଦର କାରବାରକୁ ସ୍ୱୟଂଚାଳିତ କରିବା ପାଇଁ ବୈଷୟିକ ସହାୟତା ପ୍ରଦାନ କରିବ। ଏଥିସହ ସମସ୍ତ ପ୍ରଣାଳୀକୁ ପରିବେଶ ଅନୁକୂଳ କରିବାରେ ସାହାଯ୍ୟ କରିବ।

ବ୍ରହ୍ମପୁରସ୍ଥିତ ପିଏମଇସିରେ କ୍ଲ।ଉଡ୍ କମ୍ପ୍ୟୁଟିଂ ଓ ସାଇବର୍‌ ସୁରକ୍ଷା କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ରରେ ପ୍ରଶିକ୍ଷାର୍ଥୀଙ୍କୁ ଏରୋସ୍ପେସ୍ ଏବଂ ପ୍ରତିରକ୍ଷା, ପରିବହନ, ଶିଳ୍ପ ଉପକରଣ, ଉତ୍ପାଦ ଇଞ୍ଜିନିୟରିଂ ସହ ଶିଳ୍ପ ୪.୦, ଜୀବନଚକ୍ର ପରିଚାଳନାର ଥ୍ରୀଡି ଅଭିଜ୍ଞତା ଭଳି ଉନ୍ନତମାନର ତାଲିମ ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି। କେନ୍ଦୁଝରସ୍ଥିତ ଜିଇସିରେ ଖଣି ଓ ଏହା ସମ୍ବନ୍ଧୀୟ କ୍ଷେତ୍ରରେ ଉତ୍କର୍ଷ କେନ୍ଦ୍ର ସ୍ଥାପନ ସ୍ବାକ୍ଷରିତ ଚୁକ୍ତିନାମାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ତ୍ରିଲୋଚନ ସାହୁ, ଡାସୌଲ୍ଟ ସିଷ୍ଟମ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଦୀପକ ଏନ୍‌ଜି ଓ ଜିଟିଇଟିର ପରିଚାଳନା ନିର୍ଦ୍ଦେଶକ ଅଭିନବ ମଦନ ସ୍ୱାକ୍ଷର କରିଛନ୍ତି। କେନ୍ଦୁଝରର ଓଏସଏମଇ ଓ ଯାଜପୁର ଓ ଦେବଗଡ଼ ସରକାରୀ ପଲିଟେକ୍‌ନିକ୍‌ରେ ମଧ୍ୟ ଏଭଳି କେନ୍ଦ୍ର ସ୍ଥାପିତ ହେବ। ଏହି କେନ୍ଦ୍ର କେନ୍ଦୁଝର-ସୁନ୍ଦରଗଡ଼ ଅଞ୍ଚଳରେ ଅବସ୍ଥିତ ଖଣି ଓ ଖଣି ଶିଳ୍ପକୁ ମଧ୍ୟ ପରାମର୍ଶ ପ୍ରଦାନ କରିବାରେ ସକ୍ଷମ ହେବ। ଜିଲ୍ଲା ଖଣିଜ ପାଣ୍ଠି ଅଧୀନରେ ଏହି ଉତ୍କର୍ଷ କେନ୍ଦ୍ରକୁ ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର