ପଲିଥିନ୍‌ ତଳେ ଜୀବନ ବିତାଉଛନ୍ତି ୨ ବୃଦ୍ଧା

ରାଜଘାଟ: ସରକାର ଗରିବ ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କେତେ କଣ ଯୋଜନା କରୁଛନ୍ତି। ଅସହାୟ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଯୋଗାଇବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା କରିଛନ୍ତି। କିନ୍ତୁ ପ୍ରଶାସନର ଅବହେଳା ପାଇଁ ବହୁ ଗରିବ ପରିବାର ଆବାସ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏପରିକି  ଘର ନ ଥିବାରୁ ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଥିଲେ ବି ସରକାରୀ ଆବାସ ସାତସପନ ହୋଇଛି। ଅତିଗରିବ ଶ୍ରେଣୀର ଲୋକେ ଘର ଛାଉଣୀ କରିପାରୁ ନଥିବା ବେଳେ ପଲିଥିନ ଖଣ୍ଡେ କିଣିବା ପାଇଁ ବି ସମ୍ବଳ ନାହିଁ। ଏଭଳି ଦୁଇ ଅସହାୟ ବୃଦ୍ଧା ଏବେ ପ୍ରଶାସନର ହାତ ଟେକାକୁ ଚାହିଁ ବସିଛନ୍ତି।

ବସ୍ତା ବ୍ଲକ ସନ୍ତୋଷପୁର ପଞ୍ଚାୟତ ବେଣାପୁରା ଗ୍ରାମର ୩ନଂ ୱାର୍ଡ ମାହାଲିସାହିର ସ୍ବର୍ଗତ ଖଗେନ ବା‌େସ୍କଙ୍କ ପତ୍ନୀ କାନ୍ଦିନୀ ବା‌େସ୍କ ଦୟନୀୟ ଭାବେ ଜୀବନଯାପନ କରୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଦୃଷ୍ଟିହୀନା। ଗୋଟିଏ ବୋଲଲି ପୁଅ ଯାହା ରୋଜଗାର କରେ ସେଥିରେ ଚଳିବା ସମ୍ଭବ ହେଉନାହିଁ। ସ୍ବାମୀ ମରିବାକୁ ଦୁଇବର୍ଷ ବିତିଲାଣି। ହେଲେ ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିନାହିଁ। ଭତ୍ତା ପାଇଁ ଆଜି ଯାଏ ୫ଥର ଆବେଦନ କରି ସାରିଲେଣି ହେଲେ ଭତ୍ତା  ମିଳି ନାହିଁ। କାନ୍ଦିନୀଙ୍କ ଦୁଇଆଖି ନ ଥିବାରୁ ବହୁ କଷ୍ଟରେ ସେ ଦିନ କାଟୁଛନ୍ତି। ଦୁନିଆର ଆଲୋକ ତ ଦେଖି ପାରୁନାହାନ୍ତି। ହେଲେ ସରକାରୀ ଯୋଜନାର ଉପକାର ବି ତାଙ୍କୁ ମିଳୁନଥିବା କ୍ଷୋଭର ସହ କହିଛନ୍ତି।

ସେହିପରି ଆଉ ଜଣେ ଅସହାୟ ମହିଳା ହେଲେ ଥେଙ୍ଗଡିହା ଗ୍ରାମର ୬ନଂ ୱାର୍ଡର କାଞ୍ଚନୀ ପାତ୍ର। ସ୍ବାମୀ ମରିଗଲା ପରେ ଆଜକୁ ୫ ବର୍ଷ ହେଲା ବିଧବା ଭତ୍ତା ପାଇନାହାନ୍ତି। ଆଉ ଆବାସ ଯୋଜନାରେ ଘର ହେଉ କି ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ସାତସପନ ହୋଇଛି। କାନ୍ଦିନୀଙ୍କ ପରି  କାଞ୍ଚନୀ ମଧ୍ୟ ଘର ନଥିବାରୁ ପଲିଥିନ ତଳେ ମୁଣ୍ଡ ଗୁଞ୍ଜିଛନ୍ତି। ତେଣୁ ଏ ଦୁଇ ବିଧବା ମହିଳାଙ୍କ ଦୁଃଖ ପ୍ରଶାସନ ବୁଝିବା ସହିତ ତାଙ୍କୁ ସରକାରୀ ସୁବିଧା ସୁଯୋଗ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର