ଦୁଇ ଅସୁସ୍ଥ ହାତୀଙ୍କ ମୃତ୍ୟୁ : ବଡ଼ମ୍ବା ବନାଞ୍ଚଳରେ ହାତୀ ଛୁଆ, ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ମାଈହାତୀର ମୃତ୍ୟୁ

ବଡ଼ମ୍ବା : ବଡ଼ମ୍ବା ବନାଞ୍ଚଳ ଅଧୀନ ଗୁରୁଡ଼ିପାଳ ଜଙ୍ଗଲରେ ସପ୍ତାହେ ତଳେ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ହାତୀ ଛୁଆର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। ଗତ ୧୧ ତାରିଖ ଅପରାହ୍ନରେ ପ୍ରାୟ ୨/୩ବର୍ଷର ମାଈ ହାତୀ ଅସୁସ୍ଥ ହୋଇପଡ଼ିଥିବା ବନ ବିଭାଗ ଖବର ପାଇଥିଲା। ବଡ଼ମ୍ବା ଡେପୁଟି ରେଞ୍ଜ ଅଫିସର ସରୋଜ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ହାତୀ ଛୁଆର ଚିକିତ୍ସା ବ୍ୟବସ୍ଥା କରିଥିଲେ। ଗୋପପୁର ପ୍ରାଣୀ ଚିକିତ୍ସକ ଡାକ୍ତର ସଞ୍ଜୟ କୁମାର ମହାପାତ୍ର, ବଡ଼ମ୍ବାଗଡ଼ ପ୍ରାଣୀଚିକିତ୍ସକ ଡାକ୍ତର ମଧୁସୂଦନ ଦାସ ଓ ନିହାର ରଂଜନ ମିଶ୍ର ହାତୀ ଛୁଆଟିକୁ ବଞ୍ଚାଇବା ପାଇଁ ଚିକିତ୍ସା ଜାରି ରଖିଥିଲେ। ମାତ୍ର ଗ‌ତକାଲି ରାତିରେ ହାତୀ ଛୁଆଟି ପ୍ରାଣ ହରାଇଥିବା ଡେପୁଟି ରେଞ୍ଜ ଅଫିସର ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ମାଈହାତୀ
ଅନୁଗୁଳ : ସାତକୋଶିଆ ଜଂଗଲ ସଂଲଗ୍ନ ଅନୁଗୁଳ ବନଖଣ୍ଡ ଅଞ୍ଚଳରେ ଅସୁସ୍ଥ ମାଈହାତୀର ଆଜି ମୃତ୍ୟୁ ଘଟିଛି। ଚିକିତ୍ସା ଅଭାବରୁ ହାତୀଟିର ମୃତ୍ୟୁ ଘଟିଥିବା କୁହାଯାଇଛି। ଗତ ୨୮ ଦିନ ମଧ୍ୟରେ ଏହି ଅଂଚଳରେ ୨ଟି ହାତୀର ମୃତ୍ୟୁ ଘଟିଛି।

ପ୍ରାପ୍ତ ସୂଚନା ଅନୁସାରେ, ପାଖାପାଖି ୨୫ ଦିନ ହେଲା ଏହି ଅସୁସ୍ଥ ହାତୀକୁ ପୋକଣ୍ଡା ଗାଁ ପାଖ ଜଂଗଲରେ ଠାବ କରାଯାଇଥିଲା। ତେବେ ଗତ ୧୧ ତାରିଖ ଦିନ ଟାଇଁସି ଗାଁ ପାଖ ଜଂଗଲରେ ଦେଖିବାକୁ ମିଳିଥିଲା। ଗତ ୧୨ ତାରିଖ ଦିନ ବନ ବିଭାଗର ଏକ ଟିମ୍ ସେଠାରେ ପହଂଚି ଅସୁସ୍ଥ ହାତୀର ଚିକିତ୍ସା କରିଥିଲେ। ତେବେ ଆଜି କନ୍ଧକୋଇଲି ପାଖ ମଝିପଡ଼ା ଜଂଗଲରେ ହାତୀର ମୃତଦେହ ଠାବ କରାଯାଇଛି। ଆସନ୍ତାକାଲି ବନ ବିଭାଗର ଅଧିକାରୀମାନେ ସେଠାରେ ପହଂଚିବେ ବୋଲି ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ ଯେ, ଗତ ମାର୍ଚ୍ଚ ୧୮ ତାରିଖରେ ସା‌ତକୋଶିଆ ଜଂଗଲ ପୁରୁଣାକୋଟ ରେଂଜ ଅଂଚଳରେ ଏକ ମାଈହାତୀର ମୃତଦେହ ଠାବ କରାଯାଇଥିଲା। ଗୋଟିଏ ମାସ ମଧ୍ୟରେ ୨ଟି ମାଈହାତୀର ମୃତ୍ୟୁ ଯୋଗୁଁ ପରିବେଶପ୍ରେମୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର