ପୁଣି ସାତକୋଶିଆ ଅଭୟାରଣ୍ୟରେ ଘୁରି ବୁଲିବ ବାଘୁଣୀ ସୁନ୍ଦରୀ, ଜଗିବା ପାଇଁ ଶିମିଳିପାଳରୁ ଆସୁଛନ୍ତି ଦୁଇ ହାତୀ

ଅନୁଗୁଳ : ପୁଣି ସାତକୋଶିଆ ଅଭୟାରଣ୍ୟରେ ଘୁରି ବୁଲିବ ବାଘୁଣୀ ସୁନ୍ଦରୀ। ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ଶିମିଳିପାଳରୁ ଆସୁଛନ୍ତି ଦୁଇ ହାତୀ ମହେନ୍ଦ୍ର ଓ ରାଜକୁମାର। ଏଥିସହିତ ଏହି ୨ ହାତୀ ସହ ଶିମିଳିପାଳରୁ ୨୩ ଜଣିଆ ବିଶେଷଜ୍ଞ ଦଳ ମଧ୍ୟ ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ଯାତ୍ରାରମ୍ଭ କରିଛନ୍ତି। କିଛିଦିନ ତଳେ ବାଘୁଣୀ ସୁନ୍ଦରୀକୁ କାବୁ କରି ରାଇଗୁଡା ଏନକ୍ଲୋଜରରେ ରଖାଯାଇଛି। ଏବେ ସୁନ୍ଦରୀକୁ ଏନକ୍ଲୋଜର ବାହାରକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି ବନବିଭାଗ ।

ସୂଚନାଯୋଗ୍ୟ ଯେ, କାହ୍ନା ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ସୁନ୍ଦରୀ ସାତକୋଶିଆ ବନାଞ୍ଚଳରେ କିଛି ଦିନ ତଳେ ଆତଙ୍କ ଖେଳାଇଥିଲା । ସେ ସେଠାରେ କିଛି ବନ୍ୟଜନ୍ତୁ ଓ ଲୋକଙ୍କୁ ବି ଶୀକାର କରିଥିଲା । କିଛି ଲୋକଙ୍କୁ ଆକ୍ରମଣ କରି ମାରିଥିବା ବି ଅଭିଯୋଗ ହୋଇଥିଲା। ଯାହାକୁ ନେଇ ସମ୍ପୃକ୍ତ ଅଞ୍ଚଳରେ ଲଙ୍କାକାଣ୍ଡ ସୃଷ୍ଟି ହୋଇଥିଲା। ବାଘୁଣୀ ମଣିଷ ମାରୁଥିବାରୁ ଉତ୍ତ୍ୟକ୍ତ ଲୋକ ସାତକୋଶିଆରେ ଥିବା ବନ ବିଭାଗର ଅଫିସ ଭଙ୍ଗାରୁଜା କରିବା ସହ ଏଥିରେ ନିଆଁ ଲଗାଇ ଦେଇଥିଲେ। ଏଥିସହିତ ସାତକୋଶିଆରୁ ବାଘୁଣୀକୁ ସ୍ଥାନାନ୍ତରିତ କରିବା ଦାବିରେ ବିକ୍ଷୋଭ ମଧ୍ୟ କରିଥିଲେ। ଜନଅସନ୍ତୋଷକୁ ଦୃଷ୍ଟିରେ ରଖି ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ପ୍ରଶାସନ ଓ ବନବିଭାଗ ନାକେଦମ୍ ହୋଇଥିଲେ । ପରେ ବହୁ କଷ୍ଟରେ ସୁନ୍ଦରୀକୁ କାବୁ କରାଯାଇ ରାଇଗୁଡା ଏନକ୍ଲୋଜରରେ ରଖାଯାଇଛିା । ଏବେ ସୁନ୍ଦରୀକୁ ଏନକ୍ଲୋଜର ବାହାରକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି ବନବିଭାଗ । ଏନକ୍ଲୋଜରରୁ ବାହାରିବା ପରେ ସୁନ୍ଦରୀକୁ ଜଗିବା ପାଇଁ ଏହି ୨ ହାତୀକୁ ସାତକୋଶିଆ ଅଣାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର