ବାଙ୍କୀ : କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ଭଗୀପୁର ନିକଟରେ ମହାନଦୀ ଭିତରେ ଦୁଇ ହାତୀଙ୍କ ଜଳକ୍ରୀଡ଼ା ଆଜି ରୋଚକ ଦୃଶ୍ୟ ସୃଷ୍ଟି କରିଥିଲା। ମହାନଦୀର ମୁଣ୍ଡଳୀରେ ବର୍ଷକ ପୂର୍ବେ ଫସି ରହିଥିବା ହାତୀକୁ ନେଇ ଘଟିଥିବା ଦୁର୍ଘଟଣା ପରିପ୍ରେକ୍ଷୀରେ ଆଜିର ଦୃଶ୍ୟକୁ ନେଇ ବି ବିଭିନ୍ନ ମହଲରେ ହଟଚମଟ ଆରମ୍ଭ ହୋଇଯାଇଥିଲା। କିନ୍ତୁ, ଏହା ହାତୀଙ୍କର ନିୟମିତ ଚଲାବାଟ। ରାତିରେ ନଈ ପାର ହେଉଥିବା ହାତୀ ସକାଳ ହୋଇଗଲେ ନଈ ଭିତରେ ଅଟକି ରାତିରେ ଜଙ୍ଗଲ ଭିତରକୁ ଚାଲିଯାଆନ୍ତି ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ସେଠାରେ ହାତୀଙ୍କ ପ୍ରତି କୌଣସି ବିପଦ ନାହିଁ ବୋଲି ଡମପଡ଼ା ବନ ବିଭାଗ ଅଧିକାରୀ ବିରାଜ ଦାସ ସ୍ପଷ୍ଟ କରିଥିଲେ। ସତକୁ ସତ ଦିନସାରା ହାତୀ ପାଣିରେ ଖେଳିବା ପରେ ସଂଧ୍ୟାରେ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ ମହାନଦୀର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରେ ଯଥାକ୍ରମେ ଆଠଗଡ଼ ବନଖଣ୍ଡ ଓ ଚନ୍ଦକା-ଡମପଡ଼ା ହାତୀ ଅଭୟାରଣ୍ୟ ରହିଛି। ମହାନଦୀ ପାର୍ ହୋଇ ହାତୀ ପଲ ଉଭୟ ବନଖଣ୍ଡକୁ ଯାତାୟାତ କରିଥାନ୍ତି। ସେମାନଙ୍କର ଏହା ପ୍ରମୁଖ ଚଲାପଥ ଥିବାରୁ ବନ ବିଭାଗ ବାଙ୍କୀ-କଟକ ମୁଖ୍ୟରାସ୍ତାର ଚକୁଳେଶ୍ବର, ଗୟଳବାଙ୍କ, ଦେବୀଦ୍ବାର, ଭଗୀପୁର ଆଦି ସ୍ଥାନରେ ଗାଡ଼ି ଚାଳକମାନଙ୍କ ପାଇଁ ସତର୍କ ସୂଚନା ଫଳକ ଲଗାଇଛି। ହାତୀପଲ ରାସ୍ତା ପାର୍ ହେବା ସମୟରେ ବନ ବିଭାଗ ସେମାନଙ୍କୁ ସୁରକ୍ଷା ଦେଇଥାଏ। ଗତକାଲି ଏହି ଦୁଇଟି ହାତୀ ଆଠଗଡ଼ ବନଖଣ୍ଡ ପଟୁ ମହାନଦୀ ପାର୍ ହୋଇ ଚନ୍ଦକା-ଡମପଡ଼ା ଅଭିମୁଖେ ଆସୁଥିଲେ। ଗୋଟିଏ ଦନ୍ତା ହାତୀକୁ ମିଶାଇ ଏହି ଦୁଇ ହାତୀ ସକାଳ ହୋଇଯିବାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭଗୀପୁର ନିକଟ ମହାନଦୀରେ ଅଟକି ରହିଥିଲେ। ଉକ୍ତ ସ୍ଥାନରେ ନଦୀର ସ୍ରୋତ ନ ଥିବା ବେଳେ ପାଣିର ଗଭୀରତା କମ୍ ରହିଥିଲା। ନଈ କୂଳକୁ ଲାଗି ଘଞ୍ଚ ଜଙ୍ଗଲ ବି ରହିଛି। ଏଭଳି ସ୍ଥିତିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ସେଠାରେ ଦୁଇ ହାତୀଙ୍କ ଜଳକ୍ରୀଡ଼ା ଦେଖିବାକୁ ଲୋକଙ୍କ ଭିଡ଼ ଜମି ଥିଲା। ସଂଧ୍ୟା ହେବାପରେ ଦୁଇ ହାତୀ କୂଳକୁ ଆସିଥିଲେ। ସେମାନଙ୍କ ଗତିବିଧି ଉପରେ ବନବିଭାଗ ଦୃଷ୍ଟି ରଖିଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/elephant-in-mahanadi.jpg)