ଶିମିଳିପାଳରେ ହାତୀ ମଡ଼କ; ଦୁଇ ଦିନରେ ଗଲାଣି ଦୁଇ ହାତୀଙ୍କ ଜୀବନ

ଆଜି ଏକ ମାଇ ହାତୀ ଛୁଆର ମୃତ ଦେହ ଉଦ୍ଧାର, ଗୋଠଛଡ଼ା ହୋଇପଡ଼ିଥିଲା

 

ବାରିପଦା: ଶିମିଳିପାଳରେ ପଡ଼ିଛି ହାତୀ ମଡ଼କ। କିଛି ଦିନର ବ୍ୟବଧାନ ପରେ ପୁଣି ନିରୀହ ପ୍ରାଣୀଙ୍କ ଜୀବନ ଯାଉଛି ଏହି ବିଶାଳ ପ୍ରାଣୀଙ୍କ ଅଭୟାରଣ୍ୟ କୁହାଯାଉଥିବା ବିଶ୍ବପ୍ରସିଦ୍ଧ ଶିମିଳିପାଳରେ। ଗତକାଲି ଶିମିଳିପାଳ ଜାତୀୟ ଉଦ୍ୟାନ ଅଞ୍ଚଳରେ ୪୦-୪୫ ବର୍ଷ ବୟସ୍କ ଏକ ମାଇ ହାତୀର ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ୨୪ ଘଣ୍ଟା ନପୁରୁଣୁ ପୁଣି ଏକ ମାଈ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି‌। ଶିମିଳିପାଳର ପୋଡ଼ାଡ଼ିହା ରେଞ୍ଜ୍‌ ମନଭଙ୍ଗା ବିଟ୍ ଅଧିନ ଜଙ୍ଗଲ ଭିତରେ ଏହି ମାଈ ହାତୀ ଛୁଆର ମୃତ୍ୟୁ ହୋଇଥିବା ବନବିଭାଗ  ପକ୍ଷରୁ ପ୍ରକାଶ। ଘଟଣାସ୍ଥଳରେ ପହଞ୍ଚି ବନବିଭାଗ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହିତ ଏହାକୁ ଦାହ କରିଥିବା ଜଣାପଡ଼ିଛି। ମୃତ ହାତୀ ଛୁଆର ବୟସ ୪ ରୁ ୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ମୃତ ଛୁଆଟି କିଛି ଦିନ ପୂର୍ବେ ମନଭଙ୍ଗା ବିଟ୍ ଅଂଚଳକୁ ଆସିଥିବା ହାତୀପଲରେ ରହିଥିଲା । ହେଲେ ସମସ୍ତ ହାତୀ ଚାଲି ଯାଇଥିବା ବେଳେ ଏହି ଛୁଆ ହାତୀଟି ବାଟ ହୁଡ଼ି ଜଙ୍ଗଲରେ ଏକୁଟିଆ ରହିଯାଇଥିଲା । ଦୀର୍ଘ ଦିନ ହେବ ଖାଦ୍ୟ ଅଭାବରୁ ସେ ଅସୁସ୍ଥ ହୋଇ ପଡିଥିଲା।  ଯାହାଫଳରେ ଏହି ଛୁଆର ମୃତ୍ୟୁ ହୋଇଥିବା ବନବିଭାଗ କହିଛି । ତେବେ ଏତେଦିନ ହେବ ଯଦି ହାତୀ ଛୁଆଟି ଜଙ୍ଗଲରେ ବୁଲୁଥିଲା ତେବେ କିପରି କୌଣସି ବନକର୍ମଚାରୀଙ୍କ ନଜରରେ ପଡ଼ିଲାନି। ଏସ୍‌ଟିଆର ପକ୍ଷରୁ ଜଙ୍ଗଲରେ ନିୟୋଜିତ କର୍ମଚାରୀ ହୁଅନ୍ତୁ ଅବା କୌଣସି ସୂତ୍ରରୁ ଗୋଠଛଡ଼ା ହୋଇଥିବା ଏହି ହାତୀ ଛୁଆ ସମ୍ପର୍କରେ ଏସ୍‌ଟିଆର କର୍ତ୍ତୃପକ୍ଷଙ୍କ ନଜରକୁ ଆସିପାରିଲାନି। ଏହା ପୁଣିଥରେ ଏସ୍‌ଟିଆର ବାରିପଦା କର୍ତ୍ତୃପକ୍ଷଙ୍କ ଅବହେଳା ଓ ଦାୟିତ୍ବହୀନତାକୁ ସୂଚାଉଛି। ସ୍ଥାନୀୟ ଅଧିବାସୀଙ୍କ ବିଶ୍ବାସ ଜନ୍ମାଇବାରେ ଏଯାବତ ଏସ୍‌ଟିଆର ଅଧିକାରୀମାନେ ସକ୍ଷମ ହୋଇନଥିବା ଆଜି ପ୍ରମାଣିତ ହୋଇଛି। କାରଣ ଯଦି ସଠିକ୍‌ ଢଙ୍ଗରେ କର୍ତ୍ତବ୍ୟ ପାଳନ କରାଯାଇଥାଆନ୍ତା ତେବେ ଏହି ଛୁଆ ସମ୍ପର୍କରେ ନିଶ୍ଚୟ ଖବର ମିଳିଥାଆନ୍ତା ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ବାବଧାରକ ଭାନୁମିତ୍ର ଆଚାର୍ଯ୍ୟ ପ୍ରକାଶ କରିଛନ୍ତି। ଶିମିଳିପାଳରେ ଲଗାତାର ଭାବେ ହାତୀ ମୃତ୍ୟୁ ଭଳି ସମ୍ବେଦନଶୀଳ ଘଟଣା ଏଠାରେ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ଶ୍ରୀ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି। ଏସ୍‌ଟିଆର ବାରିପଦା କର୍ତ୍ତୃପକ୍ଷଯେ ନିଜର ଦାୟିତ୍ବକୁ ସଠିକ୍‌ ଭାବେ ନିର୍ବାହ କରୁନାହାନ୍ତି ଆଜିର ମାଇ ହାତୀ ଛୁଆର ମୃତ୍ୟୁ ପ୍ରମାଣିତ କରିଛିବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।  ।

ସମ୍ବନ୍ଧିତ ଖବର