ବ୍ରହ୍ମପୁର : ବନ୍ଧକାମର ଏଗ୍ରିମେଣ୍ଟ୍‌ ପାଇଁ ଲାଞ୍ଚ ନେବାବେଳେ ସୋମବାର ଦିନ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ବିଭାଗ(ଏମ୍‌ଆଇ ଡିଭିଜନ୍‌-୧)ର ଦୁଇଜଣ କନିଷ୍ଠ ଯନ୍ତ୍ରୀ ଓ ଜଣେ ଖଲାସୀ। ଭିଜିଲାନ୍ସ ବିଭାଗ ସେମାନଙ୍କ ନିକଟରୁ ଲାଞ୍ଚ ବାବଦ ୧୦ହଜାର ଟଙ୍କା ଜବତ କରିବା ସହିତ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି। ସେମାନେ ହେଲେ; ବ୍ରହ୍ମପୁର ଇଂଜିନିୟିରଂ ସ୍କୁଲ୍‌ରୋଡ୍‌ରେ ଥିବା ଏମ୍‌ଆଇ ଡିଭିଜନ୍‌-୧ କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ପ୍ରସନ୍ନ କୁମାର ପାଢ଼ୀ, ଜେଇ ତଥା ଏଷ୍ଟିମେଟର୍‌ ଧୀରେନ୍ଦ୍ର କୁମାର ପଣ୍ଡା ଓ ଖଲାସୀ ଅଜୟ ପାତ୍ର।

Advertisment

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବଡ଼ବନ୍ଧର ଉନ୍ନତୀକରଣ ପାଇଁ ଜଣେ ଠିକାଦାର ଏଗ୍ରିମେଣ୍ଟ୍‌ ନିମେନ୍ତ ଆବେଦନ କରିଥିଲେ। ଏଗ୍ରିମେଣ୍ଟ୍‌ ଫାଇଲ୍‌ ପ୍ରୋସେସିଂ ପାଇଁ ଦୁଇ କନିଷ୍ଠ ଯନ୍ତ୍ରୀ ତାଙ୍କୁ ଲାଞ୍ଚ ମାଗିଥିଲେ। ଏ ନେଇ ଠିକାଦର ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ସଂଧ୍ୟାରେ ଠିକାଦାର ଲାଞ୍ଚ ବାବଦ ୧୦ହଜାର ଟଙ୍କା ନେଇ ଏମ୍‌ଆଇ ଡିଭିଜନ୍‌-୧ ଅଫିସ୍‌କୁ ଯାଇଥିଲେ। ସେଠାରେ ଥିବା ଯନ୍ତ୍ରୀ ଶ୍ରୀ ପାଢ଼ୀ ଲାଞ୍ଚ ଟଙ୍କା ସେଠାରେ ଉପସ୍ଥିତ ଅନ୍ୟତମ ଯନ୍ତ୍ରୀ ତଥା ଏଷ୍ଟିମେଟର୍‌ ଶ୍ରୀ ପଣ୍ଡାଙ୍କୁ ଦେବାପାଇଁ କହିଥିଲେ। ଟଙ୍କା ଦେଇସାରିବା ପରେ ସେଠାରେ ଭିଜିଲାନ୍ସ ଟିମ୍‌ ଚଢ଼ଉ କରିଥିଲେ। ସେହିପରି ଖଲାସୀ ଶ୍ରୀ ପାତ୍ର ପୂର୍ବରୁ ଜେଇ ପାଢ଼ୀଙ୍କ କହିବା ଅନୁସାରେ ସମ୍ପୃକ୍ତ ଠିକାଦାରଙ୍କ ଠାରୁ ଫୋନ୍‌-ପେ ଜରିଆରେ ୧୪ହଜାର ଟଙ୍କା ଗ୍ରହଣ କରିଥିଲେ। ଏଣୁ ୩ଜଣଙ୍କୁ ଭିଜିଲାନ୍ସ ଟିମ୍‌ ଉଠାଇ ନେଇଥିଲେ। ଏହାସହିତ ଭିଜିଲାନ୍ସ ଟିମ୍‌ ଉଭୟ ଜେଇଙ୍କ ଅଫିସ୍‌ ଚାମ୍ବର୍‌ ଓ ବାସଭବନରେ ଚଢ଼ଉ ଜାରି ରଖିଛି।
ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ କେସ୍ ନମ୍ବର ୬/୨୩ରେ ଏକ ମାମଲା ରୁଜୁ କରିଛି।