ଗୋଟିଏ ଦିନରେ ଦୁଇଟି ପ୍ରବେଶିକା ପରୀକ୍ଷା, ଚିନ୍ତାରେ ପରୀକ୍ଷାର୍ଥୀ, ତାରିଖ ଘୁଞ୍ଚାଇବାକୁ ଦାବି

ରାଜ୍ୟ ସରକାରଙ୍କ ବିଭାଗ ମଧ୍ୟରେ ରହୁନି ସମନ୍ୱୟ

ଭୁବନେଶ୍ୱର : କରୋନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ୫ ମାସ ବିଳମ୍ବ ହେଲାଣି। ସ୍ଥିତିରେ କେବେ ସୁଧାର ଆସିବ, ପାଠପଢ଼ା କେମିତି ଚାଲିବ, ପିଲାଙ୍କ ଭବିଷ୍ୟତ କ’ଣ ହେବ ସେନେଇ କାହାକୁ ଜଣା ନାହିଁ। ତା’ ଭିତରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଚାଲିଥିବା ବେଳେ କାର୍ଯ୍ୟସୂଚୀରେ ବିଭ୍ରାଟ ସାମ୍ନାକୁ ଆସିଛି। ଗୋଟିଏ ପଟେ ଭବିଷ୍ୟତକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ରାଜ୍ୟ ସରକାରଙ୍କ ବିଭାଗ-ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀ ହଇରାଣ ହେଉଥିବା ନଜରକୁ ଆସିଛି।

ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ବିଏଡ୍‌ ଓ ଡିଇଏଲଇଡି(ସିଟି) ପାଠ୍ୟକ୍ରମରେ ନାମଲେଖା ପାଇଁ ଆଗକୁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଆସନ୍ତା ୩ତାରିଖରେ ରାଜ୍ୟର ବିଭିନ୍ନ କଲେଜର ବିଏଡ୍‌ ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବା ବେଳେ ସିଟି ପ୍ରବେଶିକା ପରୀକ୍ଷା ୮ ତାରିଖରେ କରିବାକୁ ନିଷ୍ପତ୍ତି ହୋଇଛି। ତେବେ ସେହି ୮ରେ ଉତ୍କଳ ବିଶ୍ବବିଦ୍ୟାଳୟର ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ଦିନରେ ଦୁଇଟି ପରୀକ୍ଷା ହେବାକୁ ଥିବାରୁ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ୱରେ ପଡ଼ିଛନ୍ତି। ଗୋଟିଏ ଦିନ ଏକା ସମୟରେ ଦୁଇଟି ଯାକ ପରୀକ୍ଷା ଥିବାରୁ ଉଭୟ ପାଠ୍ୟକ୍ରମ ଲାଗି ଆବେଦନ କରିଥିବା ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ପଡ଼ିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଉତ୍କଳ ବିଶ୍ବବିଦ୍ୟାଳୟ ବିଏଡ୍‌ ପ୍ରବେଶିକା ପରୀକ୍ଷା ପାଇଁ ଅକ୍ଟୋବର ୨୬ରେ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ପଠାଯାଇଥିଲା। ଯେତେବେଳେ କି ସିଟି ପ୍ରବେଶିକା ପରୀକ୍ଷା ଲାଗି ଗତ ୩୦ ତାରିଖରେ ସାମ୍‌ସ କର୍ତ୍ତୃପକ୍ଷ ଆଡମିଟ କାର୍ଡ ପଠାଇଛନ୍ତି। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ସାମ୍‌ସ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଛାତ୍ରଛାତ୍ରୀ ହଇରାଣ ହେବାକୁ ଯାଉଛନ୍ତି। ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି କୌଣସି ଏକ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି। ପୂର୍ବରୁ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଥରେ ପରୀକ୍ଷା ତାରିଖ ଘୁଞ୍ଚାଇ ସାରିଛନ୍ତି। ପ୍ରଥମେ ଅକ୍ଟୋବର ୮ରେ ପରୀକ୍ଷା କରାଯିବ ବୋଲି ଆଡମିଟ କାର୍ଡ ପଠା ଯାଇଥିଲା। ତେବେ ବିଭିନ୍ନ କାରଣ ଲାଗି ଏହାକୁ ସ୍ଥଗିତ ରଖାଯାଇଥିଲା।

ସେପଟେ ଆସନ୍ତା ୩ ତାରିଖରେ ବିଭିନ୍ନ କଲେଜରେ ଥିବା ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ହେବ। ତେବେ ଏନେଇ ଛାତ୍ରଛାତ୍ରୀଙ୍କୁ ୩୦ ତାରିଖରେ ସୂଚନା ଦିଆଯାଇଛି। ଆଗୁଆ ସୂଚନା ନ ଦେଇ ତରବରିଆ ଭାବେ ତାରିଖ ଘୋଷଣା କରିବାକୁ ପରୀକ୍ଷାର୍ଥୀ ସହଜରେ ଗ୍ରହଣ କରିପରି ନାହାନ୍ତି। କରୋନା ଭଳି କଷ୍ଟକର ସମୟରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳିବାକୁ ଅଭିଭାବକ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର